ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ପ୍ରସ୍ତୁତି : ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ
କଟକ : ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ପୁଲିସ ମୁଖ୍ୟାଳୟରେ କେନ୍ଦ୍ରୀୟ ରେଞ୍ଜ ଆଇଜି ଏସ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଏସପି, ଇନସପେକ୍ଟର ଇନଚାର୍ଜ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ତାରିଖରେ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ବୈଠକରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ୭୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ । ଜୁନ ୯ ତାରିଖରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ । ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ରାଜେନ୍ଦ୍ରଭିଷେକ ନୀତି ଗୁରୁବାର ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ପରେ ଏହି ନୀତି ଅନୁଷ୍ଠିତ ହେବ । ପରେ ଆଜ୍ଞାମାଳା ପରେ ମଦନମୋହନ ଖଟରେ ବିଜେ କରିବେ । ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ବନ୍ଦ କରିବା ପରେ ଅନ୍ଧାରରେ ଏହି ବିଧି ସଂପାଦିତ ହେବ । ଅଳତାଲାଗି ନୀତି ପରେ ଡଗର ମଦନମୋହନଙ୍କ ସମ୍ମୁଖରେ ରୁକ୍ମଣୀଙ୍କ ବିବାହ ପାଇଁ ପ୍ରସ୍ତାବ ରଖିବେ । ରାଜେନ୍ଦ୍ରାଭିଷେକ ନୀତି ପରେ ମଦନମୋହନଙ୍କ ସହିତ ଘଂଟା, ଛତା, କାହାଳୀ ଏବଂ ପଟୁଆରରେ ଦିଅଁମାନେ ବେଢ଼ା ପରିକ୍ରମା କରିବେ ।