ମୁମ୍ବାଇକୁ ବିସ୍ଫୋରଣ ଧମକ : ନୋଏଡାରୁ ଅଭିଯୁକ୍ତ ଜ୍ୟୋତିଷ ଗିରଫ

 ଲକ୍ଷ୍ନୌ :  ମୁମ୍ବାଇରେ ଆଜି ଗଣେଶ ଭସାଣି ସମୟରେ ଆରଡିଏକ୍ସ ବିସ୍ଫୋରଣ ଘଟାଇ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ମୁମ୍ବାଇ ପୁଲିସ ନୋଏଡାର ସେକ୍ଟର-୭୯ରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ମୂଳତଃ ପାଟନାର ବାସିନ୍ଦା ଅଶ୍ୱିନ କୁମାର ସୁପ୍ରା ଗତ ପାଞ୍ଚ ବର୍ଷ ଧରି ନୋଏଡାର ସେକ୍ଟର ୭୯ରେ ରହୁଛନ୍ତି । ସେ ଜଣେ ଜ୍ୟୋତିଷ ଓ ବାସ୍ତୁ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି । ଅଭିଯୁକ୍ତ ଗୁରୁବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସକୁ ଏକ ହ୍ୱାଟ୍ସଆପ୍ ମେସେଜ୍ ପଠାଇ ଦାବି କରିଥିଲା ଯେ ଲସ୍କର-ଏ-ଜିହାଦିର ୧୪ ଜଣ ଆତଙ୍କବାଦୀ ୩୪ଟି ଗାଡ଼ିରେ ୪୦୦ କିଲୋଗ୍ରାମ ଆରଡିଏକ୍ସ ସହ ମୁମ୍ବାଇରେ ପ୍ରବେଶ କରିଛନ୍ତି । ଯାହା ଦ୍ୱାରା ଏକ କୋଟି ଲୋକଙ୍କ ମୃତୁ୍ୟ ହୋଇପାରେ । 
ଧମକ ପାଇବା ପରେ ମୁମ୍ବାଇ ପୁଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରା ହାଇ ଆଲର୍ଟ ଘୋଷଣା କରାଯାଇଥିଲା ଓ ମାମଲାକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ଆତଙ୍କବାଦ ନିରୋଧୀ ସ୍କ୍ୱାଡ (ଏଟିଏସ) ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକୁ ମଧ୍ୟ ସତର୍କ କରାଯାଇଥିଲା । ତଦନ୍ତ ପରେ କ୍ରାଇମ୍ ବ୍ରାଞ୍ଚ ଅଶ୍ୱିନ କୁମାରଙ୍କୁ ନୋଏଡାରୁ ଖୋଜି ପାଇ ତାଙ୍କୁ ଗିରଫ କରିଥିଲା । ପୁଲିସ ତାଙ୍କ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାରିଟି ଅତିରିକ୍ତ ସିମ୍ କାର୍ଡ ହୋଲ୍ଡର, ଛଅଟି ମେମୋରୀ କାର୍ଡ ହୋଲ୍ଡର, ଗୋଟିଏ ବାହ୍ୟ ସିମ୍ ସ୍ଲଟ୍ ଓ ଧମକପୂର୍ଣ୍ଣ ମେସେଜ୍ ପଠାଇବା ପାଇଁ ବ୍ୟବହୃତ ଦୁଇଟି ଡିଜିଟାଲ୍ କାର୍ଡ ଜବତ କରିଛି । ପଚରାଉଚରା ସମୟରେ ଅଶ୍ୱିନ କୁମାର ପ୍ରକାଶ କରିଛନ୍ତି ଯେ ସେ ବିହାର ନିବାସୀ ଫିରୋଜଙ୍କ ବିରୋଧରେ ପ୍ରତିଶୋଧ ନେବା ପାଇଁ ଏହି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ, ଯିଏ ତାଙ୍କ ବନ୍ଧୁ ଥିଲେ । ଫିରୋଜଙ୍କ ଦ୍ୱାରା ଦାୟର ଏକ ଠକେଇ ମାମଲା ଯୋଗୁଁ ଅଶ୍ୱିନ ୨୦୨୩ ମସିହାରେ ପାଟନା ଜେଲରେ ତିନି ମାସ ବିତାଇଥିଲେ । ସେ କର୍ତ୍ତୃପକ୍ଷଙ୍କୁ ଭୁଲ୍ ବୁଝାଇବା ପାଇଁ ଫିରୋଜଙ୍କ ନାମ ବ୍ୟବହାର କରିଥିଲେ ।  ଭାରତୀୟ ନ୍ୟାୟ ସଂହିତାର ଧାରା ୧୯୬(୧)(କ)(ଖ), ୩୫୧(୨), ୩୫୧(୩), ଏବଂ ୩୫୧(୪) ଅନୁଯାୟୀ ଅପରାଧ ନମ୍ବର ୩୮୧/୨୫ରେ  ଏକ ମାମଲା ରୁଜୁ ହୋଇଛି ।