ମେଗା ପ୍ରକଳ୍ପରେ ମେଗା ସ୍କାମ୍‌

ମେଗା ପ୍ରକଳ୍ପରେ ମେଗା ସ୍କାମ୍‌
  • ୩୫ ହଜାର କୋଟି ପାନୀୟ ଜଳ ପ୍ରକଳ୍ପରେ ଦୁର୍ନୀତି
  • ତାମିଲ ଠିକାଦାରଙ୍କୁ ଆଗୁଆ ଦିଆଯାଇଛି ହଜାରେ କୋଟି
  • କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି : ବିଜେଡି
  • ଭିଜିଲାନ୍ସ ତଦନ୍ତ ଦାବି କଲେ ସୋଫିଆ

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ୫ମ ଦିନ ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି ନେଇ ଗୃହ ସରଗରମ ହୋଇଛି । ବିଜେଡି ଓ ବିଜେପି ଏନେଇ ମୁହାଁମୁହିଁ ହୋଇଛନ୍ତି । ଏପିରିକି ବିଭିନ୍ନ ପ୍ରସଙ୍ଗ ନେଇ ପୂର୍ବ ସରକାରଙ୍କୁ ଘେରିଛନ୍ତି ମନ୍ତ୍ରୀ ରବି ନାଏକ । ମେଗା ପାନୀୟ ଜଳ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ଘେରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।


    ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା । ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ୍‌ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କରିଥିଲା । ନୂଆ ସରକାର ବର୍ତ୍ତମାନ ସୁଦ୍ଧା ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପର ୯୦ ପ୍ରତିଶତ କାମ ଶେଷ କରିଛନ୍ତି । ସେମାନେ ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କରିଥିଲେ । ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ । ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ । ୨୮,୩୫୦ ନଳକୂପ ବିଜେଡି କରିଥିଲା, ଆମେ ୨୨,୯୬୪ଟି କରିଛୁ । ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍‌ ଲାଇନ ବିଛାଇଛି । ସେହିପରି ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ନହେଉଣୁ ଠିକାଦାରମାନଙ୍କୁ ଆଗୁଆ ପେମେଣ୍ଟ ଦେଇଦେଲା । ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ନହେଉଣୁ ହଜାର କୋଟିର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା କହି ବିଜେଡିକୁ କଟାକ୍ଷ କରିଥିଲେ ମନ୍ତ୍ରୀ । ଆଉ କହିଥିଲେ ଓଡିଆ ଲୋକଙ୍କୁ ଦେଇଥିଲେ ଦୁଇ ପଇସା କମାଇଥାନ୍ତେ । ପାଇପ କିଣି ବିଛାଇ ଦେଲେ, ପାଣି ଦେବାର ଇଚ୍ଛା ନଥିଲା । ଏହାର ଜବାବ ଦେଇଥିଲେ ବିଜେଡିର ଯୁବ ବିଧାୟକ ଅରବିନ୍ଦ ମହାପାତ୍ର । କହିଥିଲେ ଯିଏ ବି ଦୁର୍ନୀତି କରିଛି    ତାକୁ ଦଣ୍ଡ ଦିଆଯାଉ । ଏ ସରକାର ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ପଚାରିଥିଲେ । ଆମ ସରକାର ଏନେଇ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଥିଲେ । ଏହି ଦୁର୍ନୀତିର  ଭିଜିଲାନ୍ସ ତଦନ୍ତ ପାଇଁ କଂଗ୍ରେସ ବିଧାୟିକା ସୋଫିଆ ଫିର୍‌ଦୋସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଏହି ଦୁର୍ନୀତି ନେଇ ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଗୃହରେ ଦାବି କରିଥିଲେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ଥିବା ସେ କହିଛନ୍ତି ।