୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବ କି ? ଏମିତି ପ୍ରଶ୍ନ ଏବେ ଉଙ୍କି ମାରିଛି । ପଞ୍ଚାୟତସ୍ତରରେ ବିଜେଡ଼ିର ସଂଗଠନ ଭଲ ଥିବାରୁ ସରକାର ପଞ୍ଚାୟତ କି ପୌର ନିର୍ବାଚନ ଘୁଞ୍ଚାଇ ପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ରାଜ୍ୟ ସରକାର ଓ ବିଜେପି ପକ୍ଷରୁ ପଞ୍ଚାୟତ ନିର୍ବାଚନ ୨୦୨୭ରେ ହେବବୋଲି ସଂକେତ ଦିଆଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ । ବଜେଟ୍ରେ ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟିର ପ୍ରାବଧାନ କରାଯାଇଛି । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ବିଧାନସଭାରେ ସୂଚନା ଦେଇ କହିଛନ୍ତିଯେ, ତ୍ରିସ୍ତରୀୟ ନିର୍ବାଚନ ଆପାତତଃ ୨୦୨୭ରେ ହେବ । ତେବେ ଏଯାବତ୍ ପଞ୍ଚାୟତ ପୁନଃଗଠନ ନେଇ ପ୍ରଶାସନିକସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରାଯାଇନାହିଁ ।
ସେହିପରି ରାଜ୍ୟରେ ଏବେ ୬୭୯୪ ପଞ୍ଚାୟତ ଓ ୯୧୯୧୩ ୱାଡର଼୍ ରହିଛି । ଅପରପକ୍ଷରେ ନିକଟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ପଞ୍ଚାୟତ ନିର୍ବାଚନ ୨୦୨୭ ହେବାନେଇ ସଂକେତ ଦେଇଥିଲେ । ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ବିଧାନସଭା ନିର୍ବାଚନମଣ୍ଡଳୀମାନଙ୍କରେ ମିଶ୍ରଣ ପର୍ବମାନ ଆୟୋଜନ କରାଯିବ । ବିଧାୟକମାନଙ୍କୁ ଏନେଇ ସୂଚନା ଦିଆଯିବ। ସେମାନେ ନିଜ ନିଜ ଅଞ୍ଚଳର ଟାଣୁଆ ବିଜେଡ଼ି ଅବା କଂଗ୍ରେସ ନେତାମାନଙ୍କୁ ବିଜେପିରେ ମିଶ୍ରଣ କରିବେ। ଏହାଛଡ଼ା ରାଜ୍ୟସ୍ତରରେ ମଧ୍ୟ ବ୍ଳକ ଅଧ୍ୟକ୍ଷମାନଙ୍କର ମିଶ୍ରଣ ପର୍ବ କରିବାକୁ ଯୋଜନା କରାଯାଇଛି । ପଞ୍ଚାୟତମାନଙ୍କରେ ଏବେବି ବିଜେଡ଼ିର ସଂଗଠନ ମଜବୁତ୍ ରହିଛି । ତେଣୁ ଜଣଙ୍କ ପରେ ଜଣଙ୍କୁ ପୋଚିଂ କରି ବିଜେପିକୁ ମଜବୁତ କରିବାକୁ ରଣନୀତି କରାଯାଇଛି । ତେବେ ଅନ୍ୟ ଦଳ ଭଳି ବିଜେପି ମିଶ୍ରଣ ପର୍ବ କରିବ ନାହିଁ । ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା କରି ଦଳ ନିଷ୍ପତ୍ତି ନେବ ।