ମୋଦିଙ୍କ ଡିଗ୍ରୀକୁ ନେଇ ଆକ୍ଷେପ; କେଜ୍ରିୱାଲଙ୍କୁ ସୁପ୍ରିମ ଝଟକା


ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କ୍ରଜିୱାଲଙ୍କୁ ସୁପ୍ରିମ ଝଟ୍କା । ଆବେଦନ ଖାରଜ କଲେ ସର୍ବୋଚ୍ଚÿ ଅଦାଲତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲାରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଥିଲା । ଏହା ଉପରେ ରୋକ ଲଗାଇବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲାରେ ଗୁଜରାଟ ବିଶ୍ୱବିଦ୍ୟାଳୟ ତରଫରୁ ମାନହାନୀ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ କେଜ୍ରିୱାଲଙ୍କ ବିରୋଧରେ ତଳ କୋର୍ଟ ସମନ ଜାରି କରିଥିଲେ । ଏହି ସମନକୁ ରଦ୍ଦ କରିବା ପାଇଁ ପ୍ରଥମେ କେଜ୍ରିୱାଲ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । 
ତେବେ ଆଜି ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ଋଷିକେଶ ରୟ ଓ ଜଷ୍ଟିସ ଏସ୍ ଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏଭଳି ସ୍ଥିତିରେ ଏବେ ତାଙ୍କ ବିରୋଧରେ ଗୁଜରାଟରେ ମାନହାନୀ ମାମଲାର ତଦନ୍ତ ଜାରି ରହିବ । ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ପୂର୍ବରୁ ଏପ୍ରିଲ ୨୦୨୪ରେ ସୁପ୍ରିମକୋର୍ଟ ଏହି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ । ତାଙ୍କୁ ମଧ୍ୟ ସମନ ଜାରି ହୋଇଥିଲା । କହିରଖୁ ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପିୟୁଷ ପଟେଲ ଅରିବିନ୍ଦ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ଦେଇଥିବା ମନ୍ତବ୍ୟ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ ।