ପିଓକେ ଲୋକଙ୍କୁ ପାକର ପରାମର୍ଶ : ‘ଦୁଇ ମାସ ପାଇଁ ଖାଦ୍ୟ ଗଚ୍ଛିତ ରଖ’
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ୍ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି । ଭାରତ ସରକାରଙ୍କ ଘନଘନ ବୈଠକରେ ପାକିସ୍ତାନ ଭୟଭୀତ ହୋଇଯାଇଛି । ଯୁଦ୍ଧ ହୋଇପାରେ ବୋଲି ପାକିସ୍ତାନ ଆଶଙ୍କା ପ୍ରକାଶ କରିଛି । ତେଣୁ ଦୁଇ ମାସ ପାଇଁ ଖାଦ୍ୟଶସ୍ୟ ଗଚ୍ଛିତ ରଖିବାକୁ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳର ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ନିଦେ୍ର୍ଦଶ ଦେଇଛି । ଏନେଇ ପିଓକେର ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ୍ ହକ୍ ବିଧାନସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ଏଲଓସି ନିକଟରେ ଥିବା ୧୩ଟି ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ଦୁଇମାସ ପାଇଁ ଖାଦ୍ୟସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏଥିପାଇଁ ୧୦୦ କୋଟି ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରାଯାଇଛି । ଖାଦ୍ୟ, ଔଷଧ ଓ ଅନ୍ୟ ମୌଳିକ ସାମଗ୍ରୀ ଯୋଗାଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଅପରପକ୍ଷରେ ମୁଜାଫରବାଦରେ କିଛି ରାଜନୈତିକ ଦଳ ପକ୍ଷରୁ ଭାରତ ବିରୋଧୀ ନାରା ଦିଆଯାଇଛି । ଜିହାଦ ପାଇଁ ଆହ୍ୱାନ ଦିଆଯାଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସୂଚନାଯୋଗ୍ୟଯେ, ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାକକୁ କଡ଼ା ଜବାବ ଦେବା ପାଇଁ ସେନାବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ସେପଟେ ଭାରତ-ପାକ୍ ଯୁଦ୍ଧ ହେଲେ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସାଉଦିଆରବ ଭଳି ଅନେକ ଦେଶ ଶାନ୍ତି ବଜାୟ ପାଇଁ ଆହ୍ୱାନ ଦେଇଛନ୍ତି । ସେହିପରି ଭାରତରେ ଫସି ରହିଥିବା ପାକିସ୍ତାନୀଙ୍କୁ ଫେରାଇ ଆଣିବା ପାଇଁ ୱାଘା ବର୍ଡ଼ର ଖୋଲା ରଖିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି ।