ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ନେଇ ମୁମ୍ବାଇ ପୁଲିସକୁ ବୁଧବାର ଏକ ଅଜଣା ଫୋନ୍ କଲ ଆସିଥିଲା । ଏହି ଘଟଣାରେ ପୁଲିସ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ସୂଚନା ଅନୁଯାୟୀ, ମୁଖ୍ୟ ପୁଲିସ କଣ୍ଟ୍ରୋଲ ରୁମକୁ ସକାଳ ୯ଟା ୧୩ ମିନିଟ୍ ରେ ଜଣେ ମହିଳା ଫୋନ୍ କରି ମୋଦିଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା କହିଥିଲେ । ଅନ୍ଧାରୀରେ କଲ୍ କରିଥିବା ବ୍ୟକ୍ତିଙ୍କ ମୋବାଇଲ୍ ଫୋନ୍ ନମ୍ବରର ଶେଷ ଲୋକେସନ୍ ଦେଖାଯିବାରୁ ଆମ୍ବୋଲି ପୁଲିସ ଷ୍ଟେସନକୁ ସତର୍କ କରାଯାଇଥିଲା ଏବଂ କଲ୍ କରିଥିବା ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ପୁଲିସ ଟିମ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା । ବୈଷୟିକ ତଦନ୍ତ ପରେ ଆମେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଥିଲୁ । ଏହି ସମୟରେ ସେ ମୋବାଇଲ୍ ଫୋନ୍ ଅନ୍ କରିବାରୁ ସନ୍ଧ୍ୟାରେ କାନ୍ଦିଭାଲି ଅଞ୍ଚଳରୁ ତାଙ୍କୁ ଅଟକ ରଖାଯାଇଛି । ଆମେ ଜାଣିବାକୁ ପାଇଲୁ ଯେ ପ୍ରଶାସନିକ ବ୍ୟବସ୍ଥା ପ୍ରତି କିଛି ହତାଶ ହୋଇ ସେଏପରି କରିଛନ୍ତି । ସେ କୌଣସି ଗୋଷ୍ଠୀ ସହ ଜଡ଼ିତ ନୁହଁନ୍ତି ଏବଂ ତାଙ୍କର କୌଣସି ଅପରାଧୀକ ଅତୀତ ନାହିଁ ବୋଲି ଆମ୍ବୋଲି ପୁଲିସର ବରିଷ୍ଠ ଇନ୍ସପେକ୍ଟର ସଦାଶିବ ନିକମ କହିଛନ୍ତି । ତାଙ୍କ ନିକଟରୁ ମୋବାଇଲ୍ ଫୋନ୍ ଜବତ ହୋଇଛି ବୋଲି ନିକମ କହିଛନ୍ତି ।
 ମହିଳା ଜଣକ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ଅବିବାହିତ ଏବଂ  ଘରେ ତାଙ୍କ ସାନ ଭଉଣୀ ନିକଟରେ ରୁହନ୍ତି । ଛୋଟ ଛୋଟ କଥାରେ ସାହାଯ୍ୟ ମାଗିବା ପାଇଁ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରିବାର ଇତିହାସ ରହିଛି ବୋଲି ପୁଲିସ କହିଛି । ସେ ମାନସିକ ସ୍ତରରେ ଟିକେ ବିଚଳିତ ଥିବା ଜଣାପଡ଼ିଥିଲା । ଆମେ ଏକ ମାମଲା ରୁଜୁ କରିଛୁ ଏବଂ ମିଥ୍ୟା ଧମକ ଦେବାରେ ତାଙ୍କର ଭୂମିକା ପ୍ରମାଣିତ ହେବା ପରେ ଆମେ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଛୁ ଏବଂ ତାଙ୍କୁ ନୋଟିସ ଜାରି କରିଛୁ । ତାଙ୍କୁ ଆଜି ପୁଣି ପଚରାଉଚରା ପାଇଁ ଡକାଯାଇଛି ବୋଲି ନିକମ କହିଛନ୍ତି ।