ମୋବାଇଲ ଓ ଟଙ୍କା ଚୋରି, ୩ ଗିରଫ
ପୁରୀ,୨୯ା୯ : ଘରେ ସମସ୍ତେ ଶୋଇଥିବା ବେଳେ ନଗଦ ୨୦ହଜାର ଟଙ୍କା ଓ ୨ଟି ଭିବୋ ମୋବାଇଲ ଫୋନ୍ ଚୋରି କରିନେବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୩୧(୪), ୩୦୫(ଏ), ୧୧୧(୨)ବି, ୧୧୧(୪)୧୧୧(୬),୩(୫) ଦଫାରେ ୧୮୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଅଧିନସ୍ଥ ମାଟିମଣ୍ଡପ ସାହି ଭୋଗଯାଗା ମନ୍ଦିର ନିକଟର ମହାବୀର ପ୍ରଧାନ ଓରଫ ଶ୍ରୀରାମ (୨୮), ସମୁଦ୍ରକୂଳ ଥାନା ରାମମନ୍ଦିର ଛକ ସାଲବେଗ ସାହିର ଭରତ ଜାଲିଙ୍କ ପୁଅ ସୁନୀଲ ଜାଲି ଓରଫ ପମା (୨୪), ଗୌଡ଼ବାଡ଼ ସାହି କେତକୀଝରର ସୁରେନ୍ଦ୍ର ମହାରଣାଙ୍କ ପୁଅ ବରେନ୍ଦ୍ର ମହାରଣା ଓରଫ କାତି (୨୮) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ବଳିଆପଣ୍ଡା ଥାନା ମଦନ ଭିଲ୍ଳା ଲେନ୍ର ସାଗର ମଲ୍ଲିକଙ୍କ ଘରୁ ଅଭିଯୁକ୍ତମାନେ ୨ଟି ମୋବାଇଲ ଓ ନଗଦ ଟଙ୍କା ଚୋରାଇ ନେଇଥିଲେ । ଏ ସଂପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ସବ୍ଇନ୍ସପେକ୍ଟର ନାରାୟଣ ପ୍ରଧାନ ମାମଲାର ତଦନ୍ତ ଦାୟିତ୍ୱରେ ଅଛନ୍ତି ।