ପରିମଳ ବ୍ୟବସ୍ଥା ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

ପୁରୀ: ଆଗକୁ ରଥଯାତ୍ରା ସଂପନ୍ନ ହେବାକୁ ଯାଉଥିବାାରୁ ପୁରୀକୁ ଲକ୍ଷାଧିକ ଯାତ୍ରୀ ଆଗମନ କରିବେ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଇଛି । ସହରର ରାସ୍ତାଘାଟ ମରାମତି ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଉଛି । ବିଭିନ୍ନ ସମୟରେ ଉଚ୍ଚ ଅଧିକାରୀମାନେ ପୁରୀ ଗସ୍ତରେ ଆସି ଯାତ୍ରୀମାନଙ୍କ ଉଦେ୍ଦଶ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ବୁଧବାର ଦିନ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ଥାନୀୟ ସର୍କିଟ ହାଉସ ଠାରେ ମହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ । ସହରର ବିଭିନ୍ନ ନାଳନର୍ଦ୍ଦମା ସଫେଇ ସହ ରାସ୍ତାଗୁଡ଼ିକର ମରାମତି ସମ୍ପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ ପୌରାଧିକାରୀ । ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ନାଳନର୍ଦ୍ଦମା ଗୁଡ଼ିକୁ ସଫେଇ କରାଯାଇ ଜଳନିଷ୍କାସନର ବ୍ୟବସ୍ଥା କରାଯାଉଛି । ବକେୟା କାମକୁ ଆସନ୍ତା ୩୦ତାରିଖ ସୁଦ୍ଧା ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାପାତ୍ର ପୌରାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ରଥଯାତ୍ରା ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ୧୪ଟି ପାର୍କିଂ ବ୍ୟବସ୍ଥା କରାଯିବ । ସହର ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ମୋବାଇଲ ଟଏଲେଟ ରଖାଯିବ । ବଡଦାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ ମୁକ୍ତ କରାଯିବ । ଅସ୍ଥାୟୀ କାଞ୍ଜୁଆହୁଦା କରାଯିବା ସହ ଗୋଶାଳାରେ ଗୋମାତାମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯିବ । ସ୍ଥାୟୀ ଗୋଶାଳା ପାଇଁ ୫ଏକର ଜମି ଯୋଗାଇ ଦେବାକୁ ମନ୍ତ୍ରୀ ଜିଲ୍ଳାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନିତ ଅଗ୍ରୱାଲ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ବିନୟ କୁମାର ଦାସ, ପୌରାଧିକାରୀ ଅଭିମନୁ୍ୟ ବେହେରା, ୱାଟକୋର ଜେନେରାଲ ମ୍ୟାନେଜର ଓ ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।