ମୋହନ କହିଲେ ସମୃଦ୍ଧ ଓଡ଼ିଶାର ମୁଖ୍ୟ ଆଧାର; ‘ଅସ୍ମିତା, ଉଚ୍ଚ ଆଶା ଓ ଅବିଶ୍ରାନ୍ତ ଉଦ୍ୟମ’

ମୋହନ କହିଲେ ସମୃଦ୍ଧ ଓଡ଼ିଶାର ମୁଖ୍ୟ ଆଧାର; ‘ଅସ୍ମିତା, ଉଚ୍ଚ ଆଶା ଓ ଅବିଶ୍ରାନ୍ତ ଉଦ୍ୟମ’

କଟକ/ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ପବିତ୍ର ସ୍ଥାନ  । ଏସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ । ଏଥିପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମର ଋଣକୁ ଆମେ ସୁଝିପାରିବୁ ନାହିଁ  । ତେବେ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢେ ଚାରି କୋଟି ଓଡ଼ଆ ଏକାଠି ହେଲେ ସମୃଦ୍ଧ ଓଡ଼ିଶା ଗଠନ ସମ୍ଭବ ହେବ  । ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି  । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ  ।


ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ  । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା  । ମଧୁବାବୁଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଅନେକ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ୱତନ୍ତ୍ର ଓଡ଼ିଶାର ସ୍ୱପ୍ନ ସଫଳ ହୋଇପାରିଥିଲା  । ୧୮୧୭ର ପାଇକ ବିଦ୍ରୋହ ଓଡ଼ିଶାରେ ବ୍ରିଟିଶ୍‌ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା  । ଭାରତ ଇତିହାସରେ ଏହାଥିଲା ସବୁଠାରୁ ପ୍ରଥମ ବଡ଼ ଜନ ସଂଗ୍ରାମ । ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ହାସଲ କରିଛି  । ଇଣ୍ଡୋ-ଆର୍ଯ୍ୟାନ୍‌ ଓ ଓଡ୍ର ପ୍ରାକୃତ ଭାଷାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଭାଷାର  ଦୀର୍ଘ ଇତିହାସ ରହିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି ୯୦ତମ ବର୍ଷ ଆରମ୍ଭ ହୋଇଛି  । କିନ୍ତୁ, ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତା’ର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ  । ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେବ  । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବୁ  । ୨୦୪୭ରେ ଓଡ଼ିଶାକୁ ଆମେ ବିକଶିତ ଭାରତର ଗ୍ରୋଥ୍‌ ଇଞ୍ଜିନ୍‌ କରିବୁ  । ଅସ୍ମିତା ହେଉଛି ଆମର ଓଡ଼ିଆ ସ୍ୱାଭିମାନ । ଆମର ମୌଳିକ ପରିଚୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମର ଗର୍ବ ଓ ଗୌରବ  ।


ଉଚ୍ଚ ହେବା ପାଇଁ ଆମର ଆଶା, ଆକାଂକ୍ଷାକୁ ଉଚ୍ଚ କରିବାକୁ ପଡ଼ିବ  । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ  । ଆମର ଏହି ଉଚ୍ଚ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଯେଉଁ ସମୟ, ଯେଉଁ ସୁଯୋଗ ପାଇଛୁ, ତା’ର ପ୍ରତ୍ୟେକଟି ମୁହୂର୍ତ୍ତକୁ ଓଡ଼ିଶାର ବିକାଶ, ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିନିଯୋଗ କରିବୁ  ।  ଆପଣମାନେ ଯେଉଁ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆମର ନୂଆ ସରକାର ଗଠନ କରିଥିଲେ, ସେହି ପରିବର୍ତ୍ତନର ଭିତ୍ତି ଆମେ ଏହି ଅଳ୍ପ ସମୟ ମଧ୍ୟରେ ସ୍ଥାପନ କରିସାରିଛୁ । ଓଡ଼ିଶା ପାଇଁ ବିପୁଳ ସମ୍ଭାବନାର ଏକ ଯୁଗ ସୃଷ୍ଟି ହୋଇଛି । ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ସବୁ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିର ପ୍ରକ୍ରିୟା ଆରମ୍ଭ ହୋଇଛି । ମା’ମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା । ସେମାନଙ୍କ ଉନ୍ନତି ବିନା ଓଡ଼ିଶାର ପ୍ରଗତି ଅସମ୍ଭବ । ତେଣୁ, ଆମ ସରକାରଙ୍କ ଏକ ମୁଖ୍ୟ ଫୋକସ୍‌ ହେଉଛି, ମା’ମାନଙ୍କ ବିକାଶ  । ଯୁବବର୍ଗ ହେଉଛନ୍ତି ଓଡ଼ିଶାର ବିକାଶର ଇଞ୍ଜିନ । ଏକ ସମୃଦ୍ଧ ଓଡ଼ିଶା ପାଇଁ ଆମ ଯୁବବର୍ଗକୁ ଦକ୍ଷ ହେବାକୁ ପଡିବ  । ‘ଉତ୍କର୍ଷ ଓଡ଼ିଶା- ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ପାଇଛି । ୧୩ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଛନ୍ତି  । ତାଙ୍କର ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶା ହିଁ କେନ୍ଦ୍ରରେ ଅଛି । ଓଡ଼ିଶାର ବିକାଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଫୋକସ୍‌ ଆମର ଲକ୍ଷ୍ୟ ସାଧନରେ ଏକ ବଡ଼ ଶକ୍ତି ଭାବେ କାମ କରୁଛି  । ସେ ଶକ୍ତି ଆମ ବିକାଶ ପାଇଁ ଗୋଟିଏ ବଡ଼ ପୁଞ୍ଜି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆଜି ସକାଳୁ ଭୁବନେଶ୍ୱର ରାଜଭବନ ନିକଟସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  । ଏହାପରେ ସେ ସତ୍ୟଭାମାପୁର ଯାଇ ସେଠାରେ ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ  । କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଆ ଜାତି ପୂଜ୍ୟପୂଜାର ପରମ୍ପରାର ବିଶ୍ୱାସ ରଖେ  । ଏ ଜାତି ପାଇଁ ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା  ।  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡିଆ ସ୍ୱାଭିମାନ, ଓଡିଶା ଓ ଓଡିଆ ଭାଷାକୁ ଭଲ ପାଇବାର କାର୍ଯ୍ୟକ୍ରମ  । ଏ ଜାତିକୁ ମହାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶକୁ ଆମେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯଦି ଲଗେଇ ପାରିବା ତେବେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି  । କାର୍ଯ୍ୟକ୍ରମରେ ଓଡିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ପଠନ କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଛି  । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ବେହେରା,  ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦ୍ଦୋସ, ପ୍ରକାଶ ଚନ୍ଦ୍ର ସେଠୀ, ଛବି ମଲ୍ଲିକ, ସାରଦା ପ୍ରଧାନ, ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ । କେନ୍ଦ୍ରାଞ୍ଚଳ ଆର୍‌ଡିସି ବି. ପରମେଶ୍ୱରନ୍‌ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ  ।