ମୋହନଙ୍କ କଳାହାଣ୍ଡି ବିକାଶ : ଦେଢ ବର୍ଷରେ ଦେଢ ହଜାର କୋଟି

ମୋହନଙ୍କ କଳାହାଣ୍ଡି ବିକାଶ : ଦେଢ ବର୍ଷରେ ଦେଢ ହଜାର କୋଟି
  • ୮୯୧ କୋଟିର ୩୬୧୨ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର

  • ଖୁବଶୀଘ୍ର ଆରମ୍ଭ ହେବ ‘ଉତେଇ ରାଉଳ ଜଳସେଚନ ପ୍ରକଳ୍ପ’ 

  • ଖର୍ଚ୍ଚ ହେବ ୩,୩୨୫ କୋଟି

  • କଳାହାଣ୍ଡି-ନବରଙ୍ଗପୁର ହେବ ‘କପା ଉତ୍ପାଦନ କ୍ଲଷ୍ଟର୍‌’

  • ଭବାନୀପାଟଣାରେ ହେବ ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର : କଳାହାଣ୍ଡି ଓଡିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ କହିଛନ୍ତି । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି ।


  ସୂଚନାଯୋଗ୍ୟଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍‌ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଗଲା । ଏହିସବୁ ପ୍ରକଳ୍ପଗୁଡିକ କଳାହାଣ୍ଡିର ବିକାଶକୁ ଆହୁରି ଗତି ଦେବ ବୋଲି ସେ କହିଥିଲେ । ଏହି ଅବସରରେ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଥିଲେ । ଏଥିସହିତ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର୍‌ ଭାବେ ପରିଣତ କରାଯିବ । ଜିଲ୍ଲାର ବେଲ୍‌ଗାମ ଆନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବା ସହିତ ସାଣ୍ଡୁଲ ବ୍ୟାରେଜ୍‌ କାମ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ।


 କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ୱର ସ୍ଥାନରେ ସ୍ଥାନୀତ କରିବା ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ୱତନ୍ତ୍ର ସ୍ମରଣିକା ‘କଳାଝରଣ’ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଥିଲେଯେ, କଳାହାଣ୍ଡି ହେଉଛି ଐତିହ୍ୟ, କଳା, ସଂସ୍କୃତିର ମାଟି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡି ଆଜି ବିକାଶ ପଥରେ ଆଗଉଛି । ୨୦୩୬ ସୁଦ୍ଧା କଳାହାଣ୍ଡି ଯେପରି ରାଜ୍ୟର ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହେବ, ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଥିଲେଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ବାରମ୍ୱାର ଯାଇ ଲୋକଙ୍କ ସହିତ ମିଶୁଛନ୍ତି । ଯାହା ଭାରତବର୍ଷରେ ବିରଳ । ଖୁସିର କଥା, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ବିକାଶ ପାଇଁ ସକରାତ୍ମକ ଅଛନ୍ତି । ତେଣୁ କଳାହାଣ୍ଡିକୁ ଏକ ନମ୍ୱର ସ୍ଥାନରେ ରଖିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟସଭା ସାଂସଦ ସୁଜିତ କୁମାର ନିମନ୍ତ୍ରଣ ରକ୍ଷା କରି କଳାହାଣ୍ଡି ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କଳାହାଣ୍ଡିର ସମୃଦ୍ଧ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟଯୋଶୀ, ଜୁନାଗଡ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ ।