ମୋହନଙ୍କ ସଂସ୍କାର : ଚମକିବ ଶିକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୪୫୨୯୨ ପ୍ରାଥମିକ ବିଦ୍ୟାଳୟରେ ୧ ଲକ୍ଷ ୬୦ ହଜାର ୩୧୯ ଶିକ୍ଷକ ପଦବୀ ରହିଛି । ନୂତନ ଶିକ୍ଷାନୀତି ଅନୁଯାୟୀ ଆଉ ୩୯ ହଜାର ୩୬୬ ପଦବୀ ସୃଷ୍ଟି କରାଯିବ । ଏହାସହିତ ଡିସେମ୍ବର ୨୦୨୫ ସୁଦ୍ଧା ୫୦୬୭ ଶିକ୍ଷକ ପଦବୀ ମଧ୍ୟ ଖାଲି ହେବ । ତେଣୁ ଏହି ସମସ୍ତ ପଦବୀକୁ ମିଶାଇ ଆସନ୍ତା ୩ ବର୍ଷ ମଧ୍ୟରେ ୪୪, ୪୩୩ ଟି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ ।
ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅନୁଯାୟୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ସେହିପରି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ କେବଳ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀର ସବୁ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦେବାପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଆବଶ୍ୟକତା ସହିତ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ପାଇଁ ଏଏନଏମ ନିଯୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରତ୍ୟେକ ୩୦୦ ପିଲାଙ୍କ ପାଇଁ ଜଣେ ଏଏନଏମ ବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ସେହିପରି ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ପିଲାମାନଙ୍କ ସହିତ ଭାଷାଗତ ଯୋଗାଯୋଗରେ ସୁବିଧା ହେବ ଏବଂ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହିତ ଏସିଏସଟିଆଟିଆଇ ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ସେହିପର ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ । ଏନସିଇଆରଟି ଢାଞ୍ଚାରେ ଏସସିଇଆଟିକୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପାଠ୍ୟପୁସ୍ତକ ପ୍ରକାଶନ ଓ ମାର୍କେଟିଂ ସଂସ୍ଥାର ସୃଦୃଢୀକରଣ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଓସେପାର ନିଦେ୍ର୍ଦଶିକା ଅନନ୍ୟା ଦାସ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।