ଚନ୍ଦକାରେ ହେବ ଏସୀୟ ହାତୀ ଗବେଷଣା କେନ୍ଦ୍ର

 ଭୁବନେଶ୍ୱର:  ଚନ୍ଦକାରେ ହେବ ଏସୀୟ ହାତୀ ଗବେଷଣାକେନ୍ଦ୍ର  । ଆମ ରାଜ୍ୟର ହାତୀ ସଂରକ୍ଷଣ ମଡ଼େଲ ବିଶ୍ୱକୁ ବି ପ୍ରେରଣା ଦେବ  । ବିଶ୍ୱର ବିଶେଷଜ୍ଞମାନେ ହାତୀ ସଂରକ୍ଷଣ ଉପରେ ଅଭିନବ ପଦକ୍ଷେପ ସମ୍ପର୍କରେ ଦେଇଥିବା ପରାମର୍ଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ  । ହାତୀ ସଂରକ୍ଷଣ ନେଇ ଅନୁଷ୍ଠିତ ଅନ୍ତର୍ଜାତୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି  ।
ମୁଖ୍ୟମନ୍ତ୍ରୀ କହିଲେଯେ, ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର ଗୋଡ଼ିବାରିରେ ବସିଶ୍ୱର ପ୍ରଥମ ଏସୀୟ ହାତୀ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ  । ଆଇସିୟୁଏନ ସ୍ପେଶିସ୍ ସର୍ଭାଇଭାଲ କମିଶନ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ, କଲମ୍ବସ ଜୁ ଓ ଆକ୍ୱାରିୟମ୍ ସହଯୋଗରେ ଏହା ସ୍ଥାପିତ ହେବ  । ଏହା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ ପାଇଁ ବି ବେଶ୍ ଉପାଦେୟ ହେବ ବୋଲି ସେ କହିଥିଲେ  । ମୁଖ୍ୟମନ୍ତ୍ରୀ କହିଲେଯେ, ହାତୀ ହେଉଛନ୍ତି ଆମ ସଂସ୍କୃତି, ଇତିହାସ ଓ ଆଧ୍ୟାତ୍ମିକତାର ଅଂଶ  । କୃଷି ଓ ଭିତ୍ତିଭୂମିର ଅଭିବୃଦ୍ଧି ଯୋଗୁଁ ହାତୀମାନଙ୍କର ପାରମ୍ପରିକ ବାସସ୍ଥଳୀ ପ୍ରଭାବିତ ହୋଇଛି  । ଫଳରେ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ଭଳି ପରିସ୍ଥିତି ସୃଷ୍ଟି ହେଉଛି  । ଏନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ  । ଓଡ଼ିଶା ହାତୀଙ୍କ ପାଇଁ ଏକ ବିକାଶ ମଡ଼େଲ ସୃଷ୍ଟି କରିବ, ଯେଉଁଠାରେ ହାତୀମାନେ ନିର୍ଭୟରେ ବିଚରଣ କରିପାରିବେ  । ଏହି କର୍ମଶାଳାରେ ଭଲ ଭଲ ପଦକ୍ଷେପ ନେଇ ଆଲୋଚନା ହେବ  । ବିଶ୍ୱରେ ଆରମ୍ଭ ହେଉଥିବା ହାତୀ ସଂରକ୍ଷଣ ଅଭିଯାନର ଓଡ଼ିଶା ନେତୃତ୍ୱ ନେବବୋଲି ସେ କହିଥିଲେ  ।