ମୋହନଙ୍କୁ ଭେଟିଲେ ବିଦେଶୀ ପ୍ରତିନିଧି
‘ଓଡ଼ିଶା ଏକ ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ବହନ କରୁଛି’
ଭୁବନେଶ୍ୱର : ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପ୍ରାଇଡ୍ ତରଫରୁ ୧୨ ଦେଶର ୪୦ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ ।
ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେଯେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ । ଜୁନ୍ ୨୦୨୪ ରୁ ଜୁନ୍ ୨୦୨୫ ମଧ୍ୟରେ ଓଡିଶା ବିଧାନସଭା ୬୨ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପରେ ରେକର୍ଡ ୧୨ ଘଣ୍ଟା ୨୫ ମିନିଟ୍ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାନସଭା ପ୍ରକ୍ରିୟାର ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ ପାଇଁ ଏଆଇର ବ୍ୟବହାର ଆଦି ଅନେକ ପଦକ୍ଷେପ ନିଆଯାଇଛି । ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ । ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ । ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତିଯେ, ବିଶ୍ୱ ଗଣତାନ୍ତ୍ରିକ ପରିବେଶରେ ଓଡ଼ିଶାର ବିଧାନସଭା ଏକ ଜାତୀୟ ମଡେଲ ଭାବରେ ଉଭା ହୋଇଛି । ଓଡ଼ିଶାର ବିଧାନସଭା ଶୃଙ୍ଖଳା, ଗଠନମୂଳକ ବିତର୍କ ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ ମଡେଲ । ଏଣୁ ସଂସଦୀୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯୁବ ବିଶ୍ୱ ପ୍ରତିନିଧିମାନଙ୍କୁ ଭାରତର ଅନନ୍ୟ ସଂସଦୀୟ ପରମ୍ପରା ଶିଖିବା ପାଇଁ ଏକ ବିରଳ ସୁଯୋଗ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଓଡିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ନିର୍ଦ୍ଦେଶକ ପ୍ରାଇଡ ପ୍ରଶାନ୍ତ ମଲ୍ଲିକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।