ଯାତ୍ରୀବାହୀ ବସରେ ଅଗ୍ନି ନିରାପତ୍ତା ସଚେତନତା ବୈଠକ

ଭୁବନେଶ୍ୱର : ଯାତ୍ରୀଙ୍କ ନିରାପତ୍ତା, ସରକାରଙ୍କ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ଯାତ୍ରିବାହୀ ବସରେ କୌଣସି ଅଗ୍ନି ଅଘଟଣ ଆଶଙ୍କା ଏଡ଼ାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ, ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବସ୍‌ ମାଲିକ ସଙ୍ଘ ମଧ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର-୧ରେ ଏକ ସଚେତନତା ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, ରାଜ୍ୟ ବସ୍‌ ମାଲିକ ସଙ୍ଘର ବରିଷ୍ଠ ସଦସ୍ୟମାନେ ଓ ପରିବହନ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଗତ ଦିନରେ ଦେଶର ବିଭିନ୍ନ ଭାଗରେ ଘଟିଥିବା ବସରେ ଅଗ୍ନି ଅଘଟଣକୁ ଦୃଷ୍ଟିରେ ରଖି କିଭଳି ଆମ ରାଜ୍ୟରେ ଏଭଳି ଅଘଟଣକୁ ଏଡ଼ାଇହେବ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଶେଷକରି, ବସ୍‌ ମାନଙ୍କ ପାଇଁ ଥିବା ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀର ସଠିକ୍‌ ଅନୁପାଳନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଅଗ୍ନିଶମ ମହାନିର୍ଦ୍ଦେଶକ କହିଥିଲେ, ବସରେ ଯାତ୍ରା କରୁଥିବା ପ୍ରତିଟି ଯାତ୍ରୀଙ୍କ ସୁରକ୍ଷା ପାଇଁ ବସ୍‌ କର୍ତ୍ତୃପକ୍ଷଙ୍କୁ ଆଇନ ଅନୁଯାୟୀ ନିୟମ ପାଳନ ସହ ନୈତିକ ଭାବରେ ମଧ୍ୟ ଦାୟିତ୍ୱ ନେବାକୁ ହେବ । କୌଣସ ଅଘଟଣ ଘଟିଲେଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ହେବ । ସ୍କୁଲ୍‌ ବସ୍‌, ବାତାନୁକୁଳିତ (ଏସି) ବସ୍‌ ଓ ନାଇଟ୍‌ କୋଚ୍‌ ବସ୍‌ ଉପରେ ଏ ସଂପର୍କରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି ।  ଅଗ୍ନିଶମ ମହାନିର୍ଦ୍ଦେଶକ ଓ ପରିବହନ ଆୟୁକ୍ତଙ୍କ ପ୍ରସ୍ତାବକୁ ବସ୍‌ ମାଲିକ ସଙ୍ଘ ସଦସ୍ୟମାନେ ସମର୍ଥନ କରିଥିଲେ ।