ଯୋଗାଣ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ଚାଉଳ ଉଠାଣରେ ତ୍ୱରିତ ପଦକ୍ଷେପ ନେଉ ଏଫ୍ସିଆଇ
ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତିନି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବଣ୍ଟନ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ସାକ୍ଷାତ କରି ରାଜ୍ୟର ଧାନ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟରୁ ଚାଉଳ ଉଠାଣରେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ସେହିପରି ରାଜ୍ୟର ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶକ୍ତିକାନ୍ତ ଦାସ ଓ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ । ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।