ପୂର୍ବତଟ ରେଳ ମହାପ୍ରବନ୍ଧକ-ଅତିରିକ୍ତ ମୁଖ୍ୟ ସଚିବଙ୍କ ବୈଠକ : ପୁରୀ ଷ୍ଟେସନ୍ରେ ଭିଡ଼ ନିୟନ୍ତ୍ରଣକୁ ଗୁରୁତ

 ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବାହୁଡା ଯାତ୍ରା ଏବଂ ସୁନାବେଶରେ ବିପୁଳ ଭକ୍ତସମାବେଶକୁ ଦୃଷ୍ଟିରେ ରଖି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଆଜି ଭୁବନେଶ୍ୱରର ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପୁରୀ ଷ୍ଟେସନରେ ଭିଡ଼ ପରିଚାଳନା ଏବଂ ଯାତ୍ରୀ ସୁରକ୍ଷା ପ୍ରୋଟୋକଲର ସମୀକ୍ଷା କରିଛନ୍ତି । ଡିଜିପି, ଏଡିଜି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପୁରୀରେ ଆସିବାକୁ ଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ସୁଗମ ଅନୁଭୂତି ପାଇଁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚିନ୍ତା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଜୁଲାଇ ୪ରେ ବାହୁଡା ଯାତ୍ରା ଓ ଜୁଲାଇ ୫ରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବାରୁ ପୁରୀରେ ଅଦ୍ଭୂତପୂର୍ବ ଭକ୍ତସମାବେଶ ହେବ । ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ ଏକ ବିଶାଳ ଓ ମହାନ ଦାୟିତ୍ୱ । ଏଣୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଙ୍ଗଳ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ମହାନ ଦାୟିତ୍ୱକôୁ ସୁଚାରୁରୂପେ ତୁଲାଇବା ଉପରେ ସେ ଅଗ୍ରାଧିକାର ଦେଇଥିଲେ । ଭିଡ଼କୁ ରୋକିବା, ଶୃଙ୍ଖଳିତ ଗତିବିଧିକୁ ସହଜ କରିବା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବଂ ରାଜ୍ୟ ପୁଲିସ ମଧ୍ୟରେ ସୁଗମ ସମନ୍ୱୟର ଆବଶ୍ୟକତା ଉପରେ ସେ ଆଲୋକପାତ କରିଛନ୍ତି । ତୀର୍ଥଯାତ୍ରୀଙ୍କ ପ୍ରତୀକ୍ଷାସ୍ଥଳୀ, ବର୍ଦ୍ଧିତ ଚିକିତ୍ସା ସୁବିଧା, ସ୍ପଷ୍ଟ ସାଇନେଜ୍ ଏବଂ ସୁଦୃଢ଼ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ଭଳି ପଦକ୍ଷେପଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି । ଚଳିତ ରଥଯାତ୍ରା ଉତ୍ସବ ସମୟରେ ଭିଡ଼ ପରିଚାଳନା ସମ୍ପର୍କରେ ସାମ୍ପ୍ରତିକ ଚିନ୍ତାଧାରା ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହୋଇଛି, ଯାହା ବାହୁଡା ଯାତ୍ରା ଏବଂ ସୁନାବେଶ ପାଇଁ ସମୀକ୍ଷାକୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି । ସମସ୍ତ ଅଂଶୀଦାରଙ୍କୁ "ଭକ୍ତ-କୈନ୍ଦ୍ରିକ’ ଆଭିମୁଖ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ୱୟରେ କାମ କରିବାକୁ ଅନୁରୋଧ କରିଛନ୍ତି ।