ଦେବଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ  : ଡେଙ୍ଗୁ, ଡାଇରିଆ ମୁକାବିଲା ପ୍ରସ୍ତୁତି ସମୀକ୍ଷା

 ଦେବଗଡ଼ : ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାପାଳ କବିନ୍ଦ୍ର ସାହୁ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱମୋହନ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ସାମିଲ ହୋଇଥିଲେ । ଏବେ ଡେଙ୍ଗୁ, ମ୍ୟାଲେରିଆ ତଥା ଡାଇରିଆ ବ୍ୟାପିବାର ସମ୍ଭାବନା ରହିଛି । ଏଥିପ୍ରତି ସ୍ୱାସ୍ଥ୍ୟବିଭାଗର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ଆୟୁଷ୍ମାନ ଜନ ଆରୋଗ୍ୟ ମନ୍ଦିର କାର୍ଯ୍ୟକାରୀ କରାଯିବ । ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ କୋଠା ନିର୍ମାଣ ଓ ମରାମତି ସହିତ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ବିଶେଷ କରି ଜିଲ୍ଲାରେ ଅଭାବ ଥିବା ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍ ପୂରଣ ପାଇଁ କ’ଣ ପଦକ୍ଷେପ ନିଆଯିବ ସେନେଇ ସମୀକ୍ଷା କରିଥିଲେ ମନ୍ତ୍ରୀ ।
ସେହିପରି ଗତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ଠିକ ଭାବରେ ପହଞ୍ଚାଇବା ସହ ଜିଲ୍ଲାକୁ ରାଜ୍ୟସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଥିଲେ । କିଡ୍ନୀ ରୋଗ ବ୍ୟାପୁଥିବା ଅଞ୍ଚଳରେ ଆର୍ଡବ୍ଲୁ୍ୟଏସଏସ ମାଧ୍ୟମରେ ଆର୍ଓ ୱାଟର ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ ।