କଫ୍ ସିରପ୍ ନିଶାରେ ଯୁବପିଢ଼ି
କଟକ : ଯୁବ ସମାଜ ହେଉଛି ଦେଶର ଭବିଷ୍ୟତ । ସାଂପ୍ରତିକ ସମୟରେ ଯୁବଶକ୍ତିର ଗୁରୁତ୍ୱ ସର୍ବତ୍ର ଉପଲବ୍ଧ ହୋଇଥାଏ । ଯେଉଁ ଦେଶ ପ୍ରଗତିଶୀଳ ସେ ଦେଶର ଯୁବସମାଜକୁ ସେତେ ମାତ୍ରାରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିଥାଏ । ମାତ୍ର, ପାଶ୍ଚାତ୍ୟ ଦେଶମାନଙ୍କର ଉଗ୍ର ଆଧୁନିକତା ସଂସ୍କୃତିର ବଶବର୍ତ୍ତୀ ହୋଇ ଆଜି ଯୁବ ସମାଜର କିଛି ଅଂଶ ପଥଭ୍ରଷ୍ଟ ହୋଇଯାଇଛି । ପାଠ ପଢ଼ାରେ ତୀବ୍ର ପ୍ରତିଦ୍ୱନ୍ଦିତା, ବ୍ୟବସାୟରେ ଅସଫଳତା, ପ୍ରେମରେ ବିଫଳତା, ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅସାମର୍ଥ୍ୟ ତଥା ସମାଜ ସହ ତାଳ ଦେଇ ଚାଲି ନପାରି ନୂତନ ପିଢ଼ିର କିଛି ଯୁବକ ଯୁବତୀ ମାନସିକ ଭାରସାମ୍ୟ ହରାଇ ଆଦରି ନେଇଛନ୍ତି ନିଶାର ଆଶ୍ରୟ । କଫ ସିରପଠୁ ଆରମ୍ଭ କରି ଭାଙ୍ଗ, ଗଂଜେଇ, ମଦ, ବ୍ରାଉନସୁଗାର ପ୍ରଭୃତି ନିଶା ସେବନରେ ସେମାନେ ନିଜକୁ ହଜାଇ ଦେଉଛନ୍ତି । ନିଶା ସାମଗ୍ରୀଗୁଡ଼ିକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସହଜରେ ବର୍ତ୍ତମାନ ଉପଲବ୍ଧ ହେଉଛି । ଫଳରେ ଆଜିର ବହୁ ଯୁବକ କଫ ସିରପ ନିଶାର ଶିକାର ହେଉଛନ୍ତି । ବିଶେଷକରି କୋରେକ୍ସ କଫ ସିରପକୁ ନିଶା ଭାବେ ବ୍ୟବହାର କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସିରଫରେ ଥିବା କୋଡ଼ିନ ଫସପେଟର ପ୍ରଭାବରେ ନିଶା ଆସିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସ୍ୱଳ୍ପ ମୂଲ୍ୟ ସହିତ ସହଜରେ ଉପଲବ୍ଧ ହେଉଥିବାରୁ ନିଶାସକ୍ତ ଯୁବକମାନଙ୍କ ପାଇଁ ଏହା ପ୍ରଥମ ପସନ୍ଦ ପାଲଟିଛି । ନିକଟରେ ସ୍ଥାନୀୟ ବାଦାମବାଡ଼ି ଅଞ୍ଚଳରୁ ପୁଲିସ ପାଖାପାଖି ୧୦୦୦ବୋତଲ କୋରେକ୍ସ କଫସିରପ ଜବତ କରିଥିଲା । ଏହାଛଡ଼ା ବଜାରରେ ମିଳୁଥିବା ଶସ୍ତା ନିଦ ବଟିକାକୁ ଅନେକ ନିଶା ଭାବେ ବ୍ୟବହାର କରୁଛନ୍ତି । ସିଗାରେଟ ଓ ଗୁଟଖା ସେବନ ଆଜିକାଲି ସାଧାରଣ ଘଟଣା ହୋଇସାରିଛି ।
ନିଶା ନିବାରଣ ପାଇଁ ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି । ଆଇନର ସହାୟତା ଓ ଜନ ସଚେତନତା ମାଧ୍ୟମରେ ଏହା ସମ୍ଭବ ହୋଇପାରିବ । ପୁଲିସ ପକ୍ଷରୁ ଅପରେସନ ଗଜ ମାଧ୍ୟମରେ ସହରରେ ଅବୈଧ ନିଶା ସାମଗ୍ରୀର ମହଜୁଦ, ବିକ୍ରୟ ଓ ପରିବହନକୁ ରୋକିବା ନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣା ପଡ଼ିଛି । ନିଶାସକ୍ତ ଯୁବକମାନଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ ପାଇଁ ସହରରେ ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ଉଦ୍ୟମରେ ନିଶା ନିବାରଣ କେନ୍ଦ୍ରମାନ ଖୋଲା ଯାଇଛି । ଏହି କେନ୍ଦ୍ରମାନଙ୍କରେ ଆଧୁନିକ ଚିକିସôା ପଦ୍ଧତି ସହିତ କାଉନସେଲିଂ ମାଧ୍ୟମରେ ଚିକିସôା କରାଯାଇ ନିଶା ନିବାରଣ କରାଯାଇଥାଏ ବୋଲି ଜଣାପଡ଼ିଛି । ଅଭିଭାବକ, ସ୍ୱେଚ୍ଛାସେବୀ ସଂଗଠନ ଓ ପ୍ରଶାସନର ମିଳିତ ଉଦ୍ୟମରେ ହିଁ ସଚେତନତା ସୃଷ୍ଟି କରି ସମାଜରୁ ନିଶା ନିବାରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ପାରିବ ବୋଲି ବହୁ ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି ।