ରଥ ଉପରେ ଅଧରପଣା : ଆଜି ନୀଳାଦ୍ରି ବିଜେ
ପୁରୀରୁ ବିଶ୍ୱଜିତ୍ ମିଶ୍ର : ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ପରେ ଆଷାଢ ଶୁକ୍ଳ ଦ୍ୱାଦଶୀ ସୋମବାର ରାତିରେ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି ଅଧରପଣା ନୀତି । ଶ୍ରୀଜୀଉମାନଙ୍କର ଅଧର ଉଚ୍ଚତାର ତୁମ୍ବାକୃତି ମୃତ୍ତିକା ପାତ୍ର ମାନଙ୍କରେ ଅଧରପଣା ପ୍ରସ୍ତୁତ କରାଯାଇ ଭୋଗ କରାଯାଇଥିଲା ଏବଂ ପୂଜା ପରେ ରଥର ପାଶ୍ୱର୍ ଦେବଦେବୀ ତଥା ଚଣ୍ଡିଚାମଣ୍ଡାଙ୍କ ଉଦେ୍ଦଶ୍ୟରେ ଅଧର ହାଣ୍ଡି ଭଙ୍ଗାଯାଇଥିଲା । ଅଧରପଣା ନୀତି ଦେଖିବା ପାଇଁ ରଥ ଚୁତଃପାଶ୍ୱର୍ରେ ହଜାର ହଜାର ଭକ୍ତ ସମବେତ ହୋଇଥିଲେ ।
ଅପରାହ୍ନରେ ମଧ୍ୟାହ୍ନ ଧୂପ ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପାଳିଆ ମହାସୁଆର ଛେନା, ସର, ଛାଚି, କର୍ପୁର, ଜାଇଫଳ ଓ ଗୋଲମରିଚ ଗୁଣ୍ଡ ଆଦି ସାମଗ୍ରୀ ରଥ ଉପରେ ସଜାଡ଼ି ରଖିଥିଲେ । ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ଉଚ୍ଚତାର ତୁମ୍ବାକୃତି ମାଟି ହାଣ୍ଡି ରଖାଯାଇଥିଲା । ପତ୍ରି ବଡ଼ୁ ରଥ ଉପରେ ମରୁଜ ପକାଇ ପୂଜା ଠା କରିଥିଲେ । ପୂଜା ଠା ଉପରେ ଅଧର ହାଣ୍ଡି ରଖାଯାଇଥିଲା । ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣି ମଠ ସମ୍ମୁଖରେ ଥିବା କୂଅଁରୁ ପାଣି ଆଣି ପିତ୍ତଳ ହାଣ୍ଡିମାନଙ୍କରେ ରଖିଥିଲେ । ମହାସୁଆର, ଭିତରଚ୍ଛ, ତଳୁଚ୍ଛ ଓ ପୁଷ୍ପାଳକ ସେବକ ଉପସ୍ଥିତ ରହି ଅଧରତୁମ୍ବ ଆଗରେ ନୂଆ ଗାମୁଛାରେ ଟେରା ବନ୍ଧାଯାଇଥିଲା । ଅଧରପଣା ପ୍ରସ୍ତୁତ କରାଯାଇଥିବା ହାଣ୍ଡିଗୁଡ଼ିକ ଉପରେ ଖଣ୍ଡିଏ ଲେଖାଏଁ ଧଳା କରିଆ ପକାଯାଇଥିଲା । ମହାସୁଆର ସେବକମାନେ ହାଣ୍ଡିରେ ପଣା ରଖିଥିଲେ । ସୁଆର ବଡ଼ୁ, ପତ୍ରିବଡ଼ୁ ଓ ଗରାବଡ଼ୁଙ୍କ ଦ୍ୱାରା ପୂଜା ଠା ପରେ ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ଏହି ପଣାକୁ ପଞ୍ଚୋପଚାରରେ ଭୋଗ କରାଯାଇଥିଲା । ବିଧି ଅନୁଯାୟୀ ଅଧରପଣା ହାଣ୍ଡିଗୁଡ଼ିକୁ ଭଙ୍ଗାଯାଇଥିଲା । ରଥ ଚତୁଃପାର୍ଶ୍ୱରେ ଅପେକ୍ଷାରତ ଅଶରୀରମାନଙ୍କ ଉଦ୍ଧାର ପାଇଁ ଅଧରପଣା ହାଣ୍ଡି ଭଙ୍ଗାଯାଇଥାଏ । ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନଥିବାରୁ ଏହି ପଣା ଉସôର୍ଗ କରାଯାଏ । ଶ୍ରୀଗୁଣ୍ଡିଚା, ବାହୁଡ଼ାଯାତ୍ରା, ସୁନାବେଶ ଓ ଅଧରପଣା ପରେ ଆସନ୍ତା କାଲି ଆଷାଢ ଶୁକ୍ଳ ତ୍ରୟୋଦଶୀରେ ଶ୍ରୀମନ୍ଦିର ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟ ମଙ୍ଗଳବାର ଭୋର ୪ଟାରେ ୩ରଥ ଉପରେ ମଙ୍ଗଳଆଳତି କରାଯିବ । ପରେ ଅନ୍ୟ ନୀତିକାନ୍ତି କରାଯିବ । ୩ଟା ୩୦ମିନିଟ୍ରେ ସିଂହାସନ ମାଜଣା କରାଯିବ । ୩ଟା ୫୦ମିନିଟ୍ରେ ପୁଷ୍ପାଞ୍ଜଳି ହୋଇ ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ୧୨ଟା ୩୦ ମିନିଟରେ ଶୁଦ୍ଧା ରୁନ୍ଧା ହେବେ । ରାତି ୧ଟାରେ ଦଇତାପତି ସର୍ବାଙ୍ଗ, ୧ଟା ୧୦ମିନିଟ୍ରେ ଶ୍ରୀମୁଖ ଖଣ୍ଡୁଆ, ଚାରମାଳ ଫିଟା ୧ଟା ୧୫ମିନିଟ୍ରୁ ୨ଟା ୧୫ମିନିଟ୍, ୨ଟା ୩୦ମିନିଟ୍ରେ ଶ୍ରୀ ସୁଦର୍ଶନ ଦେବ ସିଂହାସନକୁ ବିଜେ କରିବେ । ୨ଟା ୩୦ମିନିଟ୍ରେ ଶ୍ରୀମୁଖ ଖଣ୍ଡୁଆ ମଇଲମ, ୨ଟା ୪୫ମିନିଟ୍ରେ ଚକା ପୋଛା, ୩ଟାରେ ସିଂହାସନ ଧୁଆ ହୋଇ ୩ଟା ୧୦ମିନିଟ୍ରେ ଶ୍ରୀଶ୍ରୀ ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ କରିବେ । ୩ଟା ୩୦ମିନିଟ୍ରେ ମହାସ୍ନାନ ଶେଷ ହେବ । ୩ଟା ୩୫ମିନିଟ୍ରେ ରୋଷ ହୋମ ଓ ମଇଲମ, ୩ଟା ୪୫ମିନିଟ୍ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ମିନିଟ୍ରେ ଦ୍ୱାରପାଳ ପୂଜା ଓ ବଡ଼ସିଂହାର ବେଶ, ୪ଟା ୪୫ମିନିଟ୍ରେ ବଡ଼ସିଂହାର ଭୋଗ ଓ ଭୋର ୫ଟାରେ ରାତ୍ର ପହୁଡ଼ ହେବ ବୋଲି ନୀତି ନିର୍ଘଣ୍ଟରେ ସମୟ ଧାର୍ଯ୍ୟ କରାଯାଇଛି । ଠାକୁରମାନେ ରତ୍ନସିଂହାସନରେ ରୁନ୍ଧା ହେବା ପରେ ବୁଧବାର ଚତୁର୍ଦ୍ଦଶୀରେ ଭକ୍ତମାନଙ୍କୁ ମିଳିବ ନୀଳାଚଳ ଅବଢା ।...