ମନମୋହନଙ୍କ ଉପରେ ଆସ୍ଥା
ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ :
ରାଜ୍ୟ ବିଜେପିର ଲକି କ୍ୟାପଟେନଙ୍କୁ ପୁଣି କ୍ୟାପଟେନ୍ କରାଯାଇଛି । ବରିଷ୍ଠ, ଅଭିଜ୍ଞ ଓ ଧୂରୀଣ ରଣନୀତିଜ୍ଞ ମନମୋହନ ସାମଲ ରାଜ୍ୟ ବିଜେପିର ମଙ୍ଗ ଧରିଛନ୍ତି । ସଭାପତି ପଦ ପାଇଁ ଅନେକଙ୍କ ନାମ ବିଜେପି ଅଳିନ୍ଦରେ ଘୂରି ବୁଲୁଥିଲେବି ପୁଣି କେନ୍ଦ୍ରୀୟ ନେତୃତ୍ୱ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନାମ ଉପରେ ହିଁ ମୋହର ମାରିଛନ୍ତି । ଔପଚାରିକ ଘୋଷଣା ବାକିଥିଲେବି ମନମୋହନ ପୁଣିଥରେ ରାଜ୍ୟ ବିଜେପିର ମଙ୍ଗ ଧରିବାକୁ ଯାଉଛନ୍ତି । ଆସନ୍ତାକାଲି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟ ବିଜେପି ଇତିହାସରେ ବିଶ୍ୱଭୂଷଣ ହରିଚନ୍ଦନ ଓ ଜୁଏଲ ଓରାମ୍ ୮ ବର୍ଷ ରାଜ୍ୟ ବିଜେପିର ମଙ୍ଗ ଧରିଥିବାବେଳେ ମନମୋହନ ସେମାନଙ୍କ ରେକର୍ଡ଼ ଭାଙ୍ଗିବା ସ୍ପଷ୍ଟ ହୋଇଯାଇଛି ।
ପ୍ରଥମେ ଆସିବା କାହିଁକି ମୋଦିଙ୍କର ପ୍ରଥମ ଚଏସ୍ ଥିଲେ ମନମୋହନ ? ନିର୍ବାଚନୀ ରାଜନୀତିରେ ବ୍ୟକ୍ତିଗତ ଭାବେ ମନମୋହନ ଉଲ୍ଳେଖନୀୟ ସଫଳତା ପାଇନଥିଲେବି ତାଙ୍କ ନେତୃତ୍ୱରେ ବିଜେପି ତିନି ଥର କ୍ଷମତାର ସ୍ୱାଦ ଚାଖିଛି । ୧୯୯୯ରେ ମନମୋହନ ବିଜେପିର ପଞ୍ଚମ ସଭାପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ବିଜେଡ଼ି ଓ ବିଜେପି ମେଣ୍ଟ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବାବେଳେ ସେ ଥିଲେ ଦଳର ସଭାପତି । ୨୦୦୦ ମସିହା ନିର୍ବାଚନରେ ମେଣ୍ଟ ସରକାରରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାର ସ୍ୱାଦ ଚାଖିଥିଲା । ଅବଶ୍ୟ ପୂର୍ବରୁ ଜନତା ଦଳ ସହ ମିଶି ଜନସଂଘ ନେତାମାନେ ୧୯୭୭ରେ ପ୍ରଥମ ଥର ପାଇଁ କ୍ଷମତାର ସ୍ୱାଦ ପାଇଥିଲେ । ୨୦୦୪ରେ ପୁଣି ବିଜେଡ଼ି ଓ ବିଜେପି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା । ସେହି ସମୟରେ ମନମୋହନ ମଧ୍ୟ ସଭାପତି ଥିଲେ । ଅତଏବ ଦୁଇ ଦୁଇ ଥର ତାଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିଛି । ୨୦୨୩ ମାର୍ଚ୍ଚରେ ଅପ୍ରତ୍ୟାଶିତ ଭାବେ ସମୀର ମହାନ୍ତିଙ୍କୁ ହଟାଇ କେନ୍ଦ୍ରୀୟ ନେତୃତ୍ୱ ମନମୋହନଙ୍କ ହାତରେ କ୍ଷମତା ଅର୍ପଣ କରିଥିଲେ । ବିଶେଷକରି ଧାମନଗର ଉପନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପାଇଁ ମନମୋହନଙ୍କୁ ପୁରସ୍କାର ମିଳିଥିଲା । ସେହି ସମୟରେ ସାରା ରାଜ୍ୟରେ ନବୀନଙ୍କ କ୍ରେଜ୍ ଆକାଶଛୁଆଁ ଥିଲେବି ମନମୋହନ ସେହି ଆହ୍ୱାନକୁ ସ୍ୱୀକାର କରି ବିଜେପିର ସଂଗଠନକୁ ଚଳଚଞ୍ଚଳ କରିଥିଲେ । ଖାଲି ସେତିକିନୁହେଁ, ୨୦୨୪ ନିର୍ବାଚନ ବେଳେ ବିଜେଡ଼ି ଓ ବିଜେପି ମେଣ୍ଟ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ମେଣ୍ଟ ନକରିବା ଜିଦ୍ରେ ଅଟଳ ଥିଲେ ମନମୋହନ । ଏକାକୀ ବିଜେପି ଲଢ଼ିଲେ ସଫଳତା ପାଇବ ବୋଲି ସେ ଦର୍ଶାଇଥିଲେ । ଶେଷରେ ବିଜେପି ଏକାକୀ ଲଢ଼ି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାର ଐତିହାସକ ଗୌରବ ହାସଲ କରିପାରିଛି । ରାଜନୀତିକ ସମୀକ୍ଷକମାନେ ଏହାର ଶ୍ରେୟ ମନମୋହନଙ୍କୁ ହିଁ ଦେଇଥିଲେ । ତେଣୁ ତାଙ୍କୁ ପୁଣିଥରେ ସଭାପତି କରି ଦଳ ପୁରସ୍କାର ଦେଇଛି ବୋଲି ଚର୍ଚ୍ଚା ହେଉଛି । ଖାଲି ସେତିକିନୁହେଁ, ବିଗତ କିଛି ମାସ ଧରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନମୋହନ ସାମଲଙ୍କର ସମ୍ପର୍କ ମଜବୁତ୍ ହୋଇଯାଇଛି । ଯାହାଫଳରେ ସରକାର ଓ ସଂଗଠନ ମଧ୍ୟରେ ସୁସମନ୍ୱୟ ରହିବ ବୋଲି ଦିଲ୍ଲୀ ନେତୃତ୍ୱଙ୍କ ନିକଟରେ ବାର୍ତ୍ତା ପହଁଚିଥିଲା । ସରକାର ଆରମ୍ଭରୁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା । ଯେଉଁଥିପାଇଁ ପୁରୀରେ ଆୟୋଜିତ ସମାବେଶରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏତଦବ୍ୟତୀତ ମନମୋହନ ସାମଲ ହେଉଛନ୍ତି ରାଜ୍ୟ ବିଜେପିର ଅନ୍ୟତମ ବଡ଼ ଚେହେରା । ସମ୍ପ୍ରତି କଂଗ୍ରେସ ଓ ବିଜେଡ଼ି ଓବିସି ରାଜନୀତି ଜୋରଦାର କରିଛନ୍ତି । ତେଣୁ ମନମୋହନଙ୍କୁ ସଭାପତି କରି ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା କରିଥିଲେ । ଏବେ ଆସିବା ବିଜେପିର ପୁନଶ୍ଚ ମଙ୍ଗ ଧରିଥିବା ମନମୋହନଙ୍କ ପାଇଁ କ’ଣ ଆହ୍ୱାନ ରହିଛି ? ସମ୍ପ୍ରତି ବିଜେପିରେ ଗୋଷ୍ଠୀକନ୍ଦଳ ଜୋର୍ଧରିଛି । କଂଗ୍ରେସ ଭଳି ଉପରକୁ ଦୃଶ୍ୟମାନ ହେଉନଥିଲେ ବି ଏକଥା ଦଳର ତୃଣମୂଳସ୍ତରର କର୍ମୀଙ୍କ ଠାରୁ ନେଇ ରାଜ୍ୟସ୍ତରୀୟ ନେତାମାନେ ବି ସ୍ୱୀକାର କରୁଛନ୍ତି । ନୂଆ ସଭାପତି ଚୟନ ହୋଇନଥିବାରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ ଅଧ୍ୟକ୍ଷ ଚୟନ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି, ସରକାରୀ ଓକିଲ ନିଯୁକ୍ତି ଆଦି ସବୁ ଅଟକି ରହିଥିଲା । ଏବେ ସଭାପତି ନିର୍ବାଚନ ଶେଷ ହୋଇଯାଇଥିବାରୁ ଏହିସବୁ ଖାଲି ପଦବୀ ପୂରଣ କରାଯିବ । ଏଗୁଡ଼ିକ ସବୁ ରାଜନୀତିକ ପଦବୀ । କାହାକୁ ମନ୍ତ୍ରୀ କରାଯିବ, କିଏ ନିଗମ ଅଧ୍ୟକ୍ଷ ପଦ ପାଇବେ, କେଉଁ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହେବେ ଏସବୁ ଏକ ଆହ୍ୱାନ ସୃଷ୍ଟିକରିବ । ବିଶେଷକରି ବିଜେପିରେ ବହୁ ହେଭିୱେଟ୍ ନେତାଥିବାରୁ ରାଜ୍ୟ ସଭାପତିଙ୍କ ଉପରେ ଚାପ ସୃଷ୍ଟିହେବ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ସମସ୍ତଙ୍କୁ ଖୁସି କରିବା ନିହାତି ଦରକାର । କାହିଁକିନା ଏହା ଉପରେ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳ ନିର୍ଭର କରେ । ପୂର୍ବରୁ ପଞ୍ଚାୟତ ବା ପୌର ନିର୍ବାଚନ ବେଳେ ବିଜେପି ବିରୋଧୀ ଆସନରେ ଥିଲା । ବିଫଳ ହେଲେ ବିଜେଡ଼ିର ପ୍ରଶାସନିକ କଳ, ବଳ, ଟଙ୍କା ବଳକୁ ଦାୟୀ କରୁଥିଲା । ଏବେ କିନ୍ତୁ ବିଜେପି କାହାକୁ ଦାୟୀ କରିପାରିବ ନାହିଁ । କାହିଁକିନା ଦଳ ପାଖରେ ସବୁ ପ୍ରକାର ଅସ୍ତ୍ର ରହିଛି । ଅପରପକ୍ଷରେ ବିଜୁ ଜନତା ଦଳର ଏବେବି ତୃଣମୂଳସ୍ତରରେ ମଜବୁତ୍ ସଂଗଠନ ରହିଛି । ନବୀନଙ୍କ ଲୋକପ୍ରିୟତା ବି କାଏମ୍ ରହିଛି । ସାଂଗଠନିକ ରଣନୀତିରେ ଟିକିଏ ଓଲମବିଲମ ହେଲେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ପୂର୍ବରୁ ବିରୋଧୀ ଦଳରେ ଥିବାରୁ ବିଜେପି ଆଟାକିଂ ମୁଡ଼ରେ ରହୁଥିଲା । ଅତଏବ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ପାଉଥିଲା । ଏବେ କିନ୍ତୁ ଡିଫେନ୍ସ ମୁଡ଼ରେ ରହିବ । କାହିଁକିନା ବିରୋଧୀ ବିଜେଡ଼ି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତୃଣମୂଳସ୍ତରରେ ବୁଥ୍ ୱାରୀ ବିଜେପିକୁ ମଜବୁତ୍ କରିବା ମନମୋହନଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବ । ସୂଚନାଯୋଗ୍ୟଯେ, ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦଳର ସଭାପତି ଥିଲେ । ସେହିପରି ଜୁଏଲ ଓରାମ୍ ୧୯୯୭ରୁ ୧୯୯୯, ୨୦୦୪ରୁ ୨୦୦୬ ଓ ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ପ୍ରାୟ ୮ ବର୍ଷ ଧରି ଦଳର ସଭାପତି ଥିଲେ