ରଥ ଟାଣିଲେ ଆଦାନୀ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗଦେଇ ରଥ ଟାଣିଛନ୍ତି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆଜି ରଥଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀ ଆଦାନୀ ପୁରୀରେ ପହଞ୍ଚô ‘ସେବା ହିଁ ପୂଜା’ ଧର୍ମକୁ ଗ୍ରହଣ କରି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପାରମ୍ପରିକ ପୋଷାକ ପରିଧାନ କରି ଖାଲି ପାଦରେ ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ଦିଅଁଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ଏହାସହ ତିନିଦିଅଁଙ୍କ ନିକଟରେ ନତମସ୍ତକ ହୋଇ ଆଶୀର୍ବାଦ ଭିକ୍ଷା କରିଥିଲେ । ଆଜି ସେ ପୁରୀକୁ ଜଣେ ବ୍ୟବସାୟୀ ନୁହେଁ ବରଂ ସେବକ ଭାବେ ଆସି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିବା କହିଥିଲେ । ଆଜିର ଏହି ଦର୍ଶନ ତାଙ୍କୁ ଅତ୍ୟନ୍ତ ଦୁର୍ଲଭ ଓ ଆତ୍ମାକୁ ଶାନ୍ତି ପ୍ରଦାନ କରିଥିଲା ବୋଲି କହିଛନ୍ତି ।
ଏହାସହ ଆଦାନୀ କହିଛନ୍ତି, ଶ୍ରୀକ୍ଷେତ୍ର ଏକ ଆଧ୍ୟାତ୍ମିକ ସ୍ଥଳ ନୁହେଁ । ଏହା ଏକ ଏଭଳି ସ୍ଥାନ ଯେଉଁଠି ଅହଙ୍କାର ସମ୍ମୁଖରେ ନମ୍ରତାର ଭାବ ପ୍ରତିପାଦିତ ହେଉଛି । ମହାପ୍ରଭୁଙ୍କ ସ୍ଥଳକୁ ମୋତେ ଆସିବାର ସୌଭାଗ୍ୟ ମିଳିଛି । ଏହି ପ୍ରସଙ୍ଗ ମୋର ଜୀବନଯାକ ସଦାସର୍ବଦା ଗୋଟିଏ ସ୍ମୃତି ହୋଇ ରହିବ । ମୋ ନିକଟରେ କିଛି ନଥିଲା । ଆଜି ମୁଁ ସବୁ ପାଇଛି । ଲୋକମାନଙ୍କ କୃପା ଓ ଭଗବାନଙ୍କ ଆଶୀର୍ବାଦରେ ଆଜି ମୋ ପାଖରେ ସବୁ କିଛି ରହିଛି ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ନିଜର ଭାବନା ବ୍ୟକ୍ତ କରି ଏହା କହିଛନ୍ତି ଗୌତମ ଆଦାନୀ । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଯିବା ପରେ ଗୌତମ ଆଦାନୀ ସପରିବାର ରଥ ନିକଟକୁ ଆସି ତିନି ରଥରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ସେ କହିଥିଲେ ଯେ ଭାରତ ବର୍ଷର ଉଜ୍ଜ୍ୱଳ ଭବିଷ୍ୟତ ଓ ଓଡ଼ିଶାର ଉତ୍ଥାନ ପାଇଁ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି । ଆମ ଦେଶ କିଭଳି ନିରନ୍ତର ପ୍ରଗତି କରିବ ସେଥିପାଇଁ ପ୍ରଭୁଙ୍କୁ ଜଣାଇଛି । ଆମେ ପ୍ରଥମଥର ସେବାରେ ସାଧନା ପାଇଁ ଏକ ପ୍ରୟାସ କରିଛୁ । ପାଞ୍ଚ ହଜାରରୁ ଅଧିକ ଆମର ସହକର୍ମଚାରୀ ଏହି ସେବାରେ ଭାଗ ନେଇଛନ୍ତି । ସେବାର ମହତ୍ତ୍ୱ ପ୍ରତ୍ୟେକ ଅନୁଭବ କରିଛନ୍ତି । ଆମେ ଦେଖୁଛୁ ସେବା କାର୍ଯ୍ୟ ଦ୍ୱାରା ସମସ୍ତଙ୍କ ଜୀବନରେ ବହୁ ପରିବର୍ତ୍ତନ ଆସିଛି । ଏହା ଏକ ଧାର୍ମିକ ପ୍ରସଙ୍ଗ ନୁହେଁ । ଆମେ ଯଦି ଦେଖିବା ଏହି ସେବା କାର୍ଯ୍ୟ ଦ୍ୱାରା ଅନୁଭବ ଓ ଅନୁଭୂତି ଆହରଣ କରିବାର ଅବସର ମିଳିଛି । ଜିଲ୍ଳା ପ୍ରଶାସନ, ରାଜ୍ୟ ସରକାର, ସୁରକ୍ଷା କର୍ମୀମାନଙ୍କ ମିଳିତ ଉଦ୍ୟମରେ ରଥଯାତ୍ରାର ଆୟୋଜନକୁ ସେ ସ୍ୱାଗତ କରିଥିଲେ ଏବଂ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ୧୫ଲକ୍ଷ ଯାତ୍ରୀ ଶ୍ରୀକ୍ଷେତ୍ରକୁ ଆସିବା ଏବଂ ସେମାନଙ୍କ ପାଇଁ ସଫଳତା ପୂର୍ବକ ସମସ୍ତ ବ୍ୟବସ୍ଥା କରିବା କମ୍ କଥା ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ଇସ୍କନ ପକ୍ଷରୁ ପ୍ରସାଦ ସେବା ବ୍ୟବସ୍ଥାରେ ସେ ଯୋଗଦାନ କରିଥିଲେ ।