ରନôବେଦୀରେ ଶ୍ରୀଜୀଉ
ପୁରୀରୁ ବିଶ୍ୱଜିତ୍ ମିଶ୍ର :
ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଓ ଅଧରପଣା ପରେ ମଙ୍ଗଳବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଦାରୁ ଦେବତାମାନଙ୍କର ନୀଳାଦ୍ରି ବିଜେ । ଶ୍ରୀଜୀଉମାନଙ୍କ ଚିତ୍ତାକର୍ଷକ ନୀଳାଦ୍ରି ବିଜେ ନୀତି ଦେଖିବା ପାଇଁ ଭକ୍ତମାନଙ୍କର ବିପୁଳ ସମାଗମ ହୋଇଥିଲା ।
ରଥ ଉପରେ ବିଭିନ୍ନ ନୀତି ସଂପାଦନ ପରେ ଗୋଟି ପହଣ୍ଡିରେ ଠାକୁରମାନେ ରତ୍ନ ସିଂହାସନକୁ ବିଜେ କରିଥିଲେ । ବୁଧବାର ଆଷାଢ ଶୁକ୍ଳ ଚତୁଃଦର୍ଶୀରେ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢା । ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ଅଧରପଣା ନୀତି ପରେ ମଧ୍ୟ ଶ୍ରୀଜୀଉମାନଙ୍କ ନୀଳାଦ୍ରି ବିଜେ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଅପେକ୍ଷା କରି ରହିଥିଲେ । ମଙ୍ଗଳବାର ସକାଳ ୬ଟା ୫୦ରୁ ୭ଟା ୧୦ମିନିଟ୍ ମଧ୍ୟରେ ୩ ରଥରେ ମଙ୍ଗଳଆଳତି କରାଯାଇଥିଲା । ଏହାପରେ ବିଧି ମୁତାବକ ଅନ୍ୟ ନୀତିକାନ୍ତି ହୋଇଥିଲା । ୨ଟାରୁ ୨ଟା ୨୦ମିନିଟ୍ ମଧ୍ୟରେ ମଇଲମ, ବେଶ, ୨ଟା ୩୦ମିନିଟ୍ରୁ ୨ଟା ୪୦ମଧ୍ୟରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ସରି ମାଜଣା ଓ ପୁଷ୍ପାଞ୍ଜଳି ହୋଇଥିଲା । ଏହାପରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ତାଳଧ୍ୱଜ ରଥରେ ବାଜି ଉଠିଥିଲା ବିଜେ କାହାଳୀ । ବଳଭଦ୍ରଙ୍କ ରଥରୁ ମଦନମୋହନ ମନ୍ଦିରକୁ ବିଜେ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥଙ୍କ ରଥରୁ ରାମକୃଷ୍ଣଙ୍କୁ ନିଆଯାଇଥିଲା । ପରେ ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରୁ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି । ଶ୍ରୀ ସୁଦର୍ଶନ ମନ୍ଦିରକୁ ଯିବା ପରେ ଘଣ୍ଟଘଣ୍ଟାର ନିନାଦ ଓ ସମବେତ ଭକ୍ତମାନଙ୍କର ଜୟଧ୍ୱନିର ନିର୍ଘୋଷ ମଧ୍ୟରେ ଟାହିଆ ପରିହିତ ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ରଥରୁ ପହଣ୍ଡି କରିନିଆଯାଇଥିଲା । ପ୍ରଭୁ ବଳଭଦ୍ର ରତ୍ନ ସିଂହାସନକୁ ବିଜେ କରିବା ପରେ ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନ ରଥରୁ ବିଜେ କରାଇନେଇ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ରୁନ୍ଧା ଯାଇଥିଲା । ଏହାପରେ ସମବେତ ଭକ୍ତଙ୍କ ବ୍ୟାକୁଳ ପ୍ରତୀକ୍ଷାର ଅବସାନ ଘଟିଥିଲା । ଆରମ୍ଭ ହୋଇଥିଲା ବ୍ରହ୍ମାଣ୍ଡ ଠାକୁର ଶ୍ରୀଜଗନ୍ନାଥଙ୍କ ଚିତ୍ତାକର୍ଷକ ପହଣ୍ଡି ବିଜେ । ଟାହିଆ ଲାଗି ହୋଇ ମହାପ୍ରଭୁ ଚାରମାଳକୁ ଆସିବା ପରେ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଯାଇଥିଲେ । ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା । କେବଳ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କୁ ନେଇ ନବଦିନ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥିବାରୁ ଅଭିମାନିନୀ ରୁଷ୍ଟା ମହାଲକ୍ଷ୍ମୀଙ୍କ ଆଦେଶରେ ସିଂହଦ୍ୱାରକୁ ବନ୍ଦ କରିଦିଆଯାଇଥିଲା ଓ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାରକୁ ଆସିବା ପରେ ଦ୍ୱାର ଫିଟିଥିଲା । ବାଇଶିପାହାଚ ଦେଇ ଶ୍ରୀଜଗନ୍ନାଥ ଜୟବିଜୟ ଦ୍ୱାର ନିକଟକୁ ଯାଇଥିଲେ । ପରମ୍ପରା ଅନୁଯାୟୀ ଜୟବିଜୟ ଦ୍ୱାର ଠାରେ ବଚନିକା ହୋଇଥିଲା । ପତିତଜନଙ୍କ ଉଦ୍ଧାର ପାଇଁ ବର୍ଷକେ ଥରେ ଆଷାଢ ମାସରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ପତିତପାବନ ବା ଘୋଷ ଯାତ୍ରାରେ ସେ ବିଜେ କରିବେ ବୋଲି ମହାପ୍ରଭୁ ଘୋଷଣା କରିବା ପରେ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ହୋଇଥିଲା ଓ ଦେବୀ କବାଟ ଖୋଲିଥିଲେ । ଦାମ୍ପତ୍ୟ କଳହର ପରିସମାପ୍ତି ଓ ପୁର୍ନମିଳନର ମୁହୂର୍ତ୍ତକୁ ମଧୁମୟ କରିବା ପାଇଁ ପରସ୍ପର ମୁଖରେ ମିଠା ଦିଆନିଆପରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥିଲେ । ପହଣ୍ଡି ବିଜେ ବେଳେ ସିଂହଦ୍ୱାର ସମ୍ମୁଖରେ ସୃଷ୍ଟି ହୋଇଥିଲା ବର୍ଣ୍ଣାଢ୍ୟ ପରିବେଶ । ସିଂହଦ୍ୱାର ଉଜ୍ଜ୍ୱଳ ଆଲୋକର ବନ୍ୟାରେ ଉଦ୍ଭାସିତ ହୋଇଉଠିଥିବା ବେଳେ ଝଟକିଥିଲା ସିଂହଦ୍ୱାର ରୂପାଛାଉଁଣୀ କବାଟ ।