ରହସ୍ୟ ଘେରରେ ଯୁବକଙ୍କ ନିଖୋଜ ଘଟଣା; ୫ ଦିନ ପରେ ବି ମିଳୁନି ପତ୍ତା
ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧିନ ନାଏକ ସାହିର ନିରଞ୍ଜନ ନାଏକ ନାମକ ଜଣେ ଯୁବକ ନିଖୋଜ ଘଟଣା ଏବେ ରହସ୍ୟ ଘେରରେ । ନିଖୋଜ ହେବାର ୫ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ । କିନ୍ତୁ ଘଟଣା ଦିନ ବାଳକାଟି ସାଇଫୋନ ନିକଟରେ ତାର ସାଇକଲ ଓ ଚପଲ ଥିବାରୁ ସେ ସାଇଫୋନକୁ ଡେଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ । ମାତ୍ର ସ୍ଥାନୀୟ ଲୋକେ କହିଛନ୍ତି ଯଦି ଜଣେ ଉକ୍ତ ସାଇଫୋନରେ ଡେଇଁବ ତେବେ ୨ କିମ୍ବା ୩ ଦିନ ଭିତରେ ମୃତଦେହ ଅପରପାର୍ଶ୍ୱ ବା ପୁବାଶାସନ ପଟ କେନାଲରେ ବାହାରିବ । ମାତ୍ର ଆଜକୁ ୫ ଦିନ ହେଲାଣି ତଥାପି ମୃତ ଦେହ ବାହାରିନାହିଁ । ତେଣୁ ଏହା ଏକ ଆତ୍ମହତ୍ୟା ନା କେଉଁଆଡେ ପଳାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଅପରପକ୍ଷରେ କୌଣସି ଘଟଣାକୁ ନେଇ ରାଗିକି କେଉଁଆଡେ ପଳାଇଥିବାରୁ ଏଭଳି ଆତ୍ମହତ୍ୟା ନାଟକ ରଚିଥିବା ମଧ୍ୟ ସନ୍ଦେହ କରାଯାଉଥିବା ବେଳେ କେହି କେହି ଋଣଭାର ଅଧିକ ହେବାରୁ ନିରଞ୍ଜନ କେଉଁଆଡେ ପଳାଇଥିବା ବେଳେ ଆତ୍ମହତ୍ୟାର ରୂପ ଦେଇଥିବା କହିଛନ୍ତି । ଏପଟେ ପରିବାର ଲୋକ କହିଛନ୍ତି ଘଟଣା ଦିନ ମୋବାଇଲ ଫୋନ ନ ନେଇ କେବଳ ଆଧାରକାର୍ଡ, ଭୋଟ ପରିଚୟ ପତ୍ର ଏବଂ କିଛି ପଇସା ନେଇକି ଯାଇଥିଲେ । ମାତ୍ର ସନ୍ଧ୍ୟାରେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ଖବର ମିଳିନାହିଁ । ସେ କାମ କରିବା ନିମନ୍ତେ ଗତ ୧୫ ତାରିଖ ସକାଳ ୯ ଟାରେ ଘରୁ ବାହାରିଥିଲେ ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।