ରାଜଧାନୀରୁ ଧଳାଜହର ଜବତ ଘଟଣା ; ଦୋଷୀ ସାବ୍ୟସ୍ତ ହେଲେ ୩ ନିଶା ବେପାରୀ


 ଭୁବନେଶ୍ୱର, ୯ା୫ : ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ବନ୍ଦନା କର ୩ ନିଶା ବେପାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତ ପ୍ରବୀର ସିଂହ, ଦେବାଶିଷ ବେହେରା ଓ ସେକ୍‌ କୌସର ଅଲ୍ଲୀକୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏଥିସହ ୧ ଲକ୍ଷ ଟଙ୍କା ଜୋରିମାନା ନିଦେ୍ର୍ଦଶ ଦେଇଛନ୍ତି । ଗିରଫ ନିଶା ବେପାରୀଙ୍କଠାରୁ ଏସଟିଏଫ୍‌ ୭ କୋଟି ଟଙ୍କାର ଧଳାଜହର ଜବତ କରିଥିଲା ।
  ସୂଚନାଯୋଗ୍ୟଯେ, ବାଲେଶ୍ୱର ଅଞ୍ଚଳରୁ ଏକ କାର୍‌ରେ ଧଳାଜହର ନେଇ ଭୁବନେଶ୍ୱର ଆସୁଥିବା କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ଏହି ସୂଚନାକୁ ଆଧାର କରି ଏସ୍‌ଟିଏଫ୍‌ର ଏକ ଦଳ ରସୁଲଗଡ଼ ଛକରେ ଜଗି ରହିଥିଲା । ସେମାନଙ୍କ ଗାଡ଼ିକୁ ଅଟକାଇବା ସହ ଅଭିଯୁକ୍ତଙ୍କୁ କାବୁ କରିବାରେ ତଦନ୍ତକାରୀ ଦଳ ସକ୍ଷମ ହୋଇଥିଲା । ଗାଡି ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୪ କେଜି ୪୫୮ ଗ୍ରାମ ଓଜନର ଧଳାଜହର ମିଳିଥିଲା । ଜବତ ଧଳାଜହରର ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା । ପରେ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଜେରା କରିଥିଲା । ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିଲା । ମାମଲାରେ ତଦନ୍ତକାରୀ ଅଧିକାରୀ ଭାବେ ପ୍ରବୀଣ ଚନ୍ଦ୍ର ତ୍ରିପାଠୀ ଥିଲେ । ଶ୍ରୀ ତ୍ରିପାଠୀ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ (ଚାର୍ଜସିଟ) ଦାଖଲ କରିିଥିଲେ । ଏହି ମାମଲାରେ ୧୩ ଜଣ ସାକ୍ଷୀ ରହିଥିଲେ । ଫଳରେ ପୁଲିସ ପକ୍ଷରୁ ୭୯ଟି ଦସ୍ତାବିଜ ଦାଖଲ କରାଯାଇଥିଲା । ସମସ୍ତ ସାକ୍ଷୀଙ୍କ ବୟାନ ଓ ଦାଖଲ ହୋଇଥିବା ଦସ୍ତାବିଜକୁ ଆଧାର କରି ଅଦାଲତ ୩ ଅଭିଯୁକ୍ତଙ୍କୁ ଉପରୋକ୍ତ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ସରକାରଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ରଶ୍ମି ରଞ୍ଜନ ବ୍ରହ୍ମା ପରିଚାଳନା କରୁଥିଲେ ।