ବଦଳିଛି ସରକାରୀ ବାବୁ ମାନଙ୍କ ଲାଞ୍ଚ କାରବାରର ତରିକା ; ଡିଜିଟାଲ ପେମେଣ୍ଟ ଏବଂ ଚେକ୍ ମାଧ୍ୟମରେ କାରବାର

।ା ଜିତେନ୍ଦ୍ର ସାହୁ ।ା ଭୁବନେଶ୍ୱର, ୨୭ା୫ : ବଦଳିଛି ସରକାରୀ ବାବୁ ମାନଙ୍କ ଲାଞ୍ଚ କାରବାରର ତରିକା । ଏବେ ଆଉ ଟେବୁଲ ତଳେ କି ହାତରେ ଟଙ୍କା ନେଉନାହାନ୍ତି । ଭିଜିଲାନ୍ସରେ ଧରା ହେବା ଭୟରେ ସେମାନେ ଏଥର ଡିଜିଟାଲ ପେମେଣ୍ଟ ଏବଂ ଚେକ୍ ମାଧ୍ୟମରେ ଟଙ୍କା ନେଉଛନ୍ତି । ସରକାରୀ ବାବୁମାନେ ଏହି ଟଙ୍କା କଲେକ୍ସନ ପାଇଁ କିଛି ଦଲାଲ ଓ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଫୋନ୍ ପେ’ ନମ୍ବରକୁ ଅଭିଯୋଗକାରୀ ଟଙ୍କା ପଠାଉଛନ୍ତି । ସମ୍ପର୍କୀୟଙ୍କ ଫୋନ୍ ପେ’କୁ ପଠାଇଥିଲେ ସେ ପରେ ଟଙ୍କା ଉଠାଇ ଲାଞ୍ଚୁଆ ଅଧିକାରୀଙ୍କୁ ଦେଉଛନ୍ତି । ଯାହା ଫଳରେ ସେମାନଙ୍କୁ ଆଉ କେହି ରଙ୍ଗା ହାତରେ ଧରିପାରିବେ ନାହିଁ । ତେଣୁ ଏବେ ଭିଜିଲାନ୍ସ ଏହି ଡିଜିଟାଲ ଲାଞ୍ଚୁଆଙ୍କ ଉପରେ ନଜର ରଖିଛି । ଏହି ଡିଜିଟାଲ ଲାଞ୍ଚୁଆଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ୍କୁ ସାମିଲ୍ କରାଯାଇଛି । ସେମାନେ ଏହି ଡିଜିଟାଲ ଲାଞ୍ଚ କାରବାର ଉପରେ ନଜର ରଖିବେ । କେଉଁଠୁ ଯଦି ଅଭିଯୋଗ ଆସିଲା ସେ ତୁରନ୍ତ ସେଠାରେ ପହଞ୍ଚି ସତ୍ୟାସତ ଯାଞ୍ଚ କରିବେ । ପରେ ଫୋନ୍ ପେ’ରେ ଟଙ୍କା କାରବାର ହୋଇଥିଲେ ପ୍ରମାଣ ଯୋଗାଡ଼ କରିବେ । ଭିଜିଲାନ୍ସକୁ ଏହି ସାଇବର ଟିମ୍ ସହଯୋଗ କରିବ । ଏଥିସହ ଅଭିଯୁକ୍ତ ଗିରଫ ହେବା ପରେ ତାଙ୍କ ବିରୋଧରେ କୋର୍ଟରେ ଯେପରି ଡିଜିଟାଲ ପ୍ରମାଣ ଦାଖଲ ହେବ ସେନେଇ କାମ କରିବେ । ତେଣୁ ଏବେ ଡିଜିଟାଲ ଲାଞ୍ଚୁଆ ଭିଜିଲାନ୍ସ ନଜରରୁ ଖସିବା ଅସମ୍ଭବ ହୋଇପଡିଛି । ପୂର୍ବରୁ ଓଡିଶାରେ ଡିଜିଟାଲ ଟ୍ରାଞ୍ଜାକ୍ସନ ମାଧ୍ୟମରେ ଲାଞ୍ଜ ନେଇଥିବା ନେଇ ପୂର୍ବରୁ ୩ଟି ମାମଲା ଦେଖିବାକୁ ମିଳିଥିବା ବେଳେ ଚେକ୍ ମାଧ୍ୟମରେ ଲାଞ୍ଚ ନେବା ଗୋଟିଏ ଘଟଣା ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ସବ୍ଇନ୍ସପେକ୍ଟର ବିକ୍ରମ କେଶରୀ ଦେହୁରୀ । ଜବତ ବାଇକ୍କୁ ଥାନାରୁ ଛାଡିବା ପାଇଁ ସେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଲାଞ୍ଚ ଟଙ୍କା ନେଇଥିଲେ । ଦୁଇଟି ଖାଲି ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କୁ ଗିରଫ କରିଥିଲେ । ଚେକ୍ ମାଧ୍ୟମରେ ଟଙ୍କା ନେବା ଓଡିଶାରେ ତାହା ପ୍ରଥମ ମାମଲା ହୋଇଥିଲା । ଆହୁରି ମଧ୍ୟ ୧୨ଲକ୍ଷ ଟଙ୍କା ଲାଞ୍ଚ ନେବା ମଧ୍ୟ ସର୍ବାଧିକ ଥିଲା । ଅନ୍ୟ ଏକ ମାମଲାରେ ଅଭିଯୋଗ ଅଭିଯୋଗକାରୀଙ୍କ ଠାରୁ ୧୦ହଜାର ଟଙ୍କା “ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଇ ଗିରଫ ହୋଇଥିଲେ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡିଶା ବିତରଣ ଲିମିଟେଡର ତରୁଣ ରଞ୍ଜନ ନାୟକ(ଜିଆରଏଫ) । ଅଭିଯୋଗକାରୀଙ୍କ ଘରକୁ ନୂତନ ବିଦୁ୍ୟତ୍ ତାର ଟାଣିବା ପାଇଁ ସେ ୧୦ ହଜାର ଟଙ୍କାର ଲାଞ୍ଚ ଟଙ୍କା ମାଗିଥିଲେ । ତେଣୁ ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟଏକ ଲାଞ୍ଚ ମାମଲାରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ତିନିଜଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରାଯାଇଥିଲା । ସେମାନେ ଡିଜିଟାଲ ମାଧ୍ୟମରେ ଲାଞ୍ଚ ନେଇ ଗିରଫ ହୋଇଥିଲେ । ଦୁଇଜଣ ଜୁନିୟର ଇଞ୍ଜିନିଂୟର ପ୍ରସନ୍ନ କୁମାର ପାଢୀ,ଧିରେନ୍ଦ୍ର କୁମାର ପଣ୍ଡା ଏବଂ ସୁପରଭାଇଜର ଅଜୟ ପାତ୍ର ଗିରଫ ହୋଇଥିଲେ । ଏକ କାମ ପାଇଁ ଫାଇଲ ପ୍ରକ୍ରିୟାକରଣ ପାଇଁ ଧିରେନ୍ଦ୍ର ୧୦ହଜାର ନଗଦ ଟଙ୍କା ନେଉଥିବା ବେଳେ ସୁପରଭାଇଜର ଅଜୟ ପାତ୍ର ପୂର୍ବରୁ ‘ଫୋନେ ପେ’ ମାଧ୍ୟମରେ ୧୪ହଜାର ଟଙ୍କା ନେଇଥିଲେ । ତେଣୁ ଏହି ସବୁ ମାମଲାକୁ ଦେଖିଲେ ଭିଜିଲାନ୍ସ ଡିଜିଟାଲ ମାଧ୍ୟମରେ ହେଉଥିବା ଟଙ୍କା କାରବାର ଉପରେ ନଜର ରଖିଛି ।