ନନ୍ଦନକାନନର ପ୍ରତିଷ୍ଠା ଦିବସ : ନୂଆ ଜନ୍ତୁଙ୍କର ନାଁ ଘୋଷଣା କଲେ ମନ୍ତ୍ରୀ
ଭୁବନେଶ୍ୱର : ଆଜି ନନ୍ଦନକାନନର ୬୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନନ୍ଦନକାନନରେ ଥିବା ନୂଆ ଜନ୍ତୁଙ୍କର ନାଁ ଘୋଷଣା କରିଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆର ନାଁ ଅରୁଣ ଓ ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନୁ, ସିଂହ ରେବାର ଛୁଆ ରକ ଏବଂ ମାଈ ଛୁଆର ନାଁ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ ସହ ମାଈ ଛୁଆର ନାଁ ଶ୍ରେୟା, ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆ ଇସାନ, ହିମାଳୟ କଳାଭାଲୁ ମନିର ମାଈଛୁଆ ସୁଭଦ୍ରା ରଖାଯାଇଛି ।
ଏହାସହ ଓଧ ଖୁଆଡ, ଉତ୍ତର-ପୂର୍ବ ପାନୋରାମା, ସିଭେଟ୍ ବିଲେଇ ଏନ୍କ୍ଲୋଜର, କାଚ ସମ୍ମୁଖ କଲରାପତରିଆ ବାଘ ଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜି ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସୁବିଧା, ରାଟେଲ, ସ୍ଲଥ ବିୟର ପାଇଁ ଏନକ୍ଲୋଜର ଉଦଘାଟିତ କରିଛନ୍ତି ମନ୍ତ୍ରୀ ।
Samir Kumar Rout