ରାଜୁ ମଣ୍ଡଳ ପାଖକୁ ଏସିଆରୁ ଆସୁଥିଲା ଅଧିକାଂଶ କଲ : ଡିସିପି
ଭୁବନେଶ୍ୱର : ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଭୁବନେଶ୍ୱର ଡିସିପି ବଡ଼ ଖୁଲାସା କରିଛନ୍ତି । ରାଜୁ ମଣ୍ଡଳ ପାଖକୁ ମଧ୍ୟ ଏସିଆରୁ ଅଧିକାଂଶ କଲ ଆସୁଥିଲା । ଏ ଯାଏ ହୋଇଥିବା ସିମ୍ ଅନାଲିସିସରୁ ଏହି ସୂଚନା ମିଳିଛି । ଆହୁରି ଅନେକ କଲର ଯାଂଚ ଚାଲିଛି । ଏଥି ସହିତ ମିଳିଥିବା ସବୁ ସିମ୍ କାର୍ଡ ଫେକ୍ ଥିଲା ବୋଲି ଏଯାଏ ତଦନ୍ତରୁ ଜଣାପଡିଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ ମଧ୍ୟ ପଶ୍ଚିମବଙ୍ଗ ଯିବ । ରାଜୁର ଗାଁ ୨୪ପ୍ରଗଣା ଯାଇସେଠାରେ ଫେକ୍ ସିମ୍ର ଯାଂଚ କରିବ । ଏନେଇ ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୁଲିସ । ଫେକ୍ ପରିଚୟ ପତ୍ର ଦେଇ ସିମ୍ ମିଳିଛି । ସେ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମ ବଙ୍ଗ ସରକାରଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ବ ର୍ମାନ ପର୍ଯ୍ୟନ୍ତ ଯେତେ ସିମ୍ ବକ୍ସ ଜବତ ହୋଇଛି ସେସବୁ ଚୀନ୍ରେ ତିଆରି ହୋଇଥିବା ଜଣାପଡିଛି । ଏହା ଚୋରା ଚାଲାଣ ହୋଇ ଓଡ଼ିଶା ଆସୁଥିଲା । ଅନ୍ୟପଟେ ରାଜୁ ଯେଉଁ ହୋଟେଲରେ ରହୁଥିଲା ସେଠାରୁ କିଛି ତଥ୍ୟ ମିଳିନି । ହେଲେ ତାହା ପୂର୍ବରୁ ବି ରାଜୁ ରାଜଧାନୀର ଅନ୍ୟ ହୋଟେଲରେ ରହିଛି ବୋଲି ଜଣାପଡିଛି ।ଯେଉଁ ହୋଟେଲରେ ରାଜୁ ରହିଛି ସେହି ହୋଟେଲକୁ ପୁଲିସ ପକ୍ଷରୁ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଉ ଫର୍ମ ମଗାଯାଇଥିଲା । ହେଲେ ସେମାନେ ଦେଇନାହାନ୍ତି, ଯାହାକୁ ନେଇ ପୁଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ଏଥି ସହିତ ସିମ୍ ବକ୍ସ ମାମଲାର ମୁଖ୍ୟ ଅଭିଯୁକ୍ତ ଆସାଦୁର ଜମାନର ପାସପୋର୍ଟ ମିଳିଛି । ବାଂଲାଦେଶର ଢାକାରେ ରହି ଭୁବନେଶ୍ୱର, କଟକ ଓ ରାଂଚିରେ ନିଜର ସିଣ୍ଡିକେଟ ଚଳାଉଥିବା ଆସାଦୁର ଜମାନ ଓଡ଼ିଶା ଆସିଥିଲା । ଏନେଇ ଇମିଗ୍ରେସନରୁ ଅଧିକ ତଥ୍ୟ ମାଗିଛି ପୁଲିସ । ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ହେଉଛି । ରାଜୁ ଦେଇଥିବା ଲିଡକୁ ନେଇ କମିଶନରେଟ ପୁଲିସ ର ସ୍ୱତନ୍ତ୍ର ଟିମ ଅନ୍ୟ ରାଜ୍ୟରେ ତଦନ୍ତ କରିବା ସହ ଏନଆଇଏ ଓ ସିବିଆଇ ସହ ଯୋଗାଯୋଗରେ ରହିଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।