ବିଏସ୍ଏଫ୍ର ୬୦ ତମ ପ୍ରତିଷ୍ଠା ଦିବସ; ୨୦୨୬ ସୁଦ୍ଧା ମାଓବାଦୀ ମୁକ୍ତ ଓଡ଼ିଶା; ଏବେ ୭୦ ମାଓବାଦୀ ସକ୍ରିୟ
ଭୁବନେଶ୍ୱର, ୩୦ା୧୧: ରାଜ୍ୟରେ ପୂର୍ବରୁ ଯେଉଁଭଳି ଭାବେ ମାଓବାଦୀମାନେ ବିଭିନ୍ନ ଜିଲ୍ଲାରେ ଅଧିକ କ୍ରିୟାଶୀଳ ଥିଲେ ତାହାର ପ୍ରଭାବ କମିଛି । ପୂର୍ବରୁ ଓଡ଼ିଶାରେ କେବଳ ୧୦ଟି ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ଏବେ ମାତ୍ର ୭ଟି ଜିଲ୍ଲାରେ ମାଓବାଦୀମାନେ ସେମାନଙ୍କ ଉପସ୍ଥିତ ଜାହିର କରିଛନ୍ତି । ସାରା ଦେଶରେ ୩୮ଟି ଜିଲ୍ଲା ମାଓ ପ୍ରଭାବିତ ରହିଛି । ସେଥିମଧ୍ୟରୁ ମାତ୍ର ୬୦ରୁ ୭୦ ଜଣ ମାଓବାଦୀ ଓଡ଼ିଶାରେ କାର୍ଯ୍ୟ କରୁଥିବା ବେଳେ, ସେମାନଙ୍କ ମଧ୍ୟରେ ମାତ୍ର ୭ରୁ ୮ ଜଣ ଓଡ଼ିଆ ଥିବା ନେଇ ବିଏସ୍ଏଫ୍ ଆଇଜି ସିଡ଼ି ଅଗ୍ରୱାଲ ସୂଚନା ଦେଇଛନ୍ତି । ବିଏସ୍ଏଫ୍ ଡିସେମ୍ବର ୧ ତାରିଖ ତାହାର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ବିଏସ୍ଏଫ୍ର ଶାଖା କାର୍ଯ୍ୟାଳୟରେ ଆଇଜି ଶ୍ରୀ ଅଗ୍ରୱାଲ ବିଏସ୍ଏଫ୍ର କର୍ମଚାରୀମାନେ ଓଡ଼ିଶାରେ କେଉଁଭଳି କାର୍ଯ୍ୟ କରୁଛନ୍ତି, ବିଏସ୍ଏଫ୍ଗ ଯବାନମାନେ ଓଡ଼ିଶାରେ ମୁତୟନ ହେବା ଦ୍ୱାରା ମାଓ ଦମନ କ୍ଷେତ୍ରରେ ଓଡ଼ିଶା କେତେ ସଫଳ ହୋଇଛି, ଏବଂ ଏହି କେନ୍ଦ୍ରୀୟ ଫୋର୍ସର ଉପସ୍ଥିତି ଯୋଗୁଁ ସରକାରୀସ୍ତରରେ କେତେ ଜନହିତକର କାର୍ଯ୍ୟ ସଫଳ ଭାବେ ବିନା ଭୟରେ ହୋଇପାରିଛି ସେ ନେଇ ଆଇଜି ଶ୍ରୀ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟଯେ, ରାଜ୍ୟରେ ମାଓବାଦୀଙ୍କ ଗତିବିଧିର ବୃଦ୍ଧିକୁ ଦେଖି ୨୦୧୦ ମସିହାରେ ପ୍ରଥମେ ବିଏସ୍ଏଫ୍ର ମୁତୟନ କେନ୍ଦ୍ର ଦ୍ୱାରା କରାଯାଇଥିଲା । ଏହା ପୂର୍ବରୁ ମାଓବାଦୀମାନେ ୨୦୦୪ ମସିହାରେ କୋରାପୁଟ ପୁଲିସ ମୁଖ୍ୟାଳୟରୁ ଗୋଳା ବାରୁଦ ଲୁଟ କରିଥିବା ବେଳେ ୨୦୦୬ ମସିହାରେ ମୋଟୋ ଥାନାରେ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେହିପରି ୨୦୦୯ ମସିହାରେ ଦାମନଯୋଡ଼ିରେ ଆମ୍ବୁସ କରିବା ସହ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ । ତେବେ ବିଏସ୍ଏଫ୍ର ମୁତୟନ ପରେ ମାଓବାଦୀଙ୍କ ଏତାଦୃଶ କାର୍ଯ୍ୟକଳାପରେ ରୋକ ଲାଗିଛି । ବର୍ତ୍ତମାନ ସମୟରେ ଓଡ଼ିଶାର ୭ଟି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ରହିଛି, ଯେଉଁଠାରେ କି ସେମାନଙ୍କ କାର୍ଯ୍ୟକଳାପ ଅତି ଗୌଣ କହିଲେ ଭୁଲ ହେବ ନାହିଁ ବୋଲି ଆଇଜି କହିଛନ୍ତି । ବିଏସ୍ଏଫ୍ ମୁତୟନ ହେବା ପରେ ୩ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୨୪ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେହିପରି ବିଏସ୍ଏଫ୍ ପକ୍ଷରୁ ବିଭିନ୍ନ ମାଓ କ୍ୟାମ୍ପ ଉପରେ ଚଢ଼ଉ କରାଯାଇ ୩୪ଟି ଆଇଡିସ, ୧୧୭ଟା ଗ୍ରେନେଡ ଓ ବ୍ୟାପକ ଗୋଳାବାରୁଦ ଜବତ କରାଯାଇଥିବା ଜଣାପଡ଼ିଛି । ଏପରିକି ବିଏସ୍ଏଫ୍ ଯବାନଙ୍କ ଉପସ୍ଥିତି ଯୋଗୁଁ ମାଲାକାନଗିରିର ବିଚ୍ଛିନ୍ନାଞ୍ଚଳରେ ଗୁରୁପ୍ରି୍ରୟା ସେତୁ ହୋଇଥିବା ବେଳେ, ଏହାଦ୍ୱାରା ୧୫୧ଟି ଗ୍ରାମର ୩୮ ହଜାର ଲୋକ ଉପକୃତ ହୋଇପାରିଛନ୍ତି । ତେବେ ନକ୍ସଲଙ୍କୁ ଦମନ କରିବାକୁ ଯାଇ ୧୪ ଜଣ ବିଏସ୍ଏଫ୍ ଯବାନ ଶହୀଦ ହୋଇଛନ୍ତି । ଚଳିତବର୍ଷ ବିଏସ୍ଏଫ୍ ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟକୁ ସ୍ଲୋଗାନ ଭାବେ ଗ୍ରହଣ କରାଯାଇଛି । ଏହି ପ୍ରେସ ମିଟରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏଫ୍ ଡିଆଇଜି ଧୀରେନ୍ଦ୍ର କୁମାର, ସଞ୍ଜିବ କୁମାର,କମାଣ୍ଡେଣ୍ଟ ସୁମନ କୁମାର, ନବୀନ କୁମାର, ଡେପୁଟି କମାଣ୍ଡେଣ୍ଟ କେକେ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।