୨୫୧ ଲିଟର ଚୋରା ବିଦେଶୀ ମଦ ଜବତ ; ଦୁଇ ବେପାରୀ ଗିରଫ
ଭୁବନେଶ୍ୱର, ୨୨ା୪ : ବରମୁଣ୍ଡାରୁ ଏକ କାରରେ ବେଆଇନ୍ ଭାବେ ବିଦେଶୀ ମଦ ଚାଲାଣ ବେଳେ ଖଣ୍ଡଗିରି ଛକରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ମାଡି ବସିଲା ଥାନାର ପେଟ୍ରୋଲିଂ ଟିମ । କଳା ବେପାରୀକୁ ଗିରଫ କରିବା ସହ କାର ଭିତରୁ ୨୩୭ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ସହିଦନଗର ଥାନା ଅଧିନ ୟୁନିଟ୍-୯ ଭୋଇ ନଗରର ରାଜୁ ସେଠୀ । ଆଜି ତାକୁ ଅବକାରୀ ଆଇନ୍ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି । ସେହିଭଳି ଭରତପୁର ଥାନା ପୁଲିସ ମଧ୍ୟ ସମ ହସ୍ପିଟାଲ ନିକଟ ଏକ ଖାଦ୍ୟ ହୋଟେଲରେ ଚଢ଼ାଉ କରି ୧୪ ଲିଟର ବେଆଇନ୍ ବିଦେଶୀ ମଦ ଜବତ କରିବା ସହ ହୋଟେଲ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ହୋଟେଲ ମାଲିକ ବାବୁଲା ସାହୁ ।
ସୂଚନାଯୋଗ୍ୟଯେ, ଆଗକୁ ନିର୍ବାଚନ ଆସୁଥିବା ନେଇ ରାଜଧାନୀରେ କଡା କଡି କମିଶନରେଟ୍ ପୁଲିସ । ପ୍ରତେକ ଦିନ ବିଭିନ୍ନ ଥାନାର ଅଧିକାରୀ, ଜୋନ୍ ଏସିପି ଏବଂ ବିଭିନ୍ନ ଥାନାର ଅଫିସର ମାନେ ଚଳାଇଛନ୍ତି କଡା ଚେକିଂ, ବ୍ଲିକଂ, ପେଟ୍ରୋଲିଂ, ଡ୍ରଙ୍କନ୍ ଡ୍ରାଇଭ୍ ଅଭିଯାନ । ଏହାସହ ନିଶା କାରବାର, ଅପରାଧୀ ମାନଙ୍କୁ ରଖାଯାଇଛି କଡା ନଜର । ଫଳରେ ପ୍ରତେକ ଦିନ ବିଭିନ୍ନ ଥାନା ପୁଲିସ ଲୁଟେରା, ନିଶା ବେପାରୀ, ମଦୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ସେହିଭଳି ରବିବାର ସନ୍ଧ୍ୟାରେ ଜଣେ ବେପାରୀ ତା କାରରେ ଚୋରାରେ ବେଆଇନ୍ ଭାବେ ବିଦେଶୀ ମଦ ଲୋଡ଼ କରି ଖୋଦ୍ଧାକୁ ଯାଉଥିବା ଖଣ୍ଡଗିରି ଥାନା ଅଧିକାରୀ ଅଭିମନୁ୍ୟ ଦାସ ଜାଣିବାକୁ ପାଇଥିଲେ । ଏହି ଖବର ପାଇ ସଙ୍ଗେ ସଙ୍ଗେ ଥାନାର ପେଟ୍ରୋଲିଂ ଟିମକୁ ଖବର ଦେଇ ବରମୁଣ୍ଡାରୁ କାରକୁ ପିଛା କରି ଖଣ୍ଡଗିରି ଛକରେ ମାଡି ବସିଥିଲେ । ପରେ କାରକୁ ତଲାସି ବେଳେ କାର ଭିତରୁ ୨୩୭ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।
ସେହିଭଳି ଭରତପୁର ଥାନା ପୁଲିସ ମଧ୍ୟ ସମ ହସ୍ପିଟାଲ ନିକଟ ବ୍ଲଡ୍ ବ୍ୟାଙ୍କ୍ ସାମ୍ନାରେ ଥିବା ମିସକି ନାମକ ଖାଇବା ହୋଟେଲର ମାଲିକ କିଛିଦିନ ହେବ ବେଆଇନ୍ ଭାବେ ଚୋରାରେ ମଦ ଆଣି ହୋଟେଲରେ ବିକ୍ରି କରୁଥିଲା । ଏହି ଖବର ଭରତପୁର ଥାନା ଅଧିକାରୀ ଦୀନବନ୍ଧୁ ମିଶ୍ର ଜାଣିବା ପରେ ରବିବାର ରାତିରେ ଥାନାର ପେଟ୍ରୋଲିଂ ଟିମ ପଠାଇ ଅଚାନକ ହୋଟେଲରେ ଚଢ଼ାଉ କରି ୧୪ ଲିଟର ବିଦେଶୀ ମଦ ଜବତ କରିବା ସହିତ ହୋଟେଲ ମାଲିକ ବାବୁଲା ସାହୁକୁ ଗିରଫ କରାଯାଇଥିଲା ।