ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ୩.୫ କୋଟି ଲାଭାଂଶ ପ୍ରଦାନ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଡ୍) ଅର୍ଥ ପ୍ରଦାନ କରାଯାଇଛି । ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଜରିଆରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ରାଜ୍ୟ ସରକାରଙ୍କ ଲାଭାଂଶ ବାବଦକୁ ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ କମିଶନର-ତଥା-ଶାସନ ସଚି଼ିବ ରାଜେଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି ।
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୨୨ କୋଟି ୭୦ ଲକ୍ଷ ୯୪ ହଜାର ୩୩ ଟଙ୍କା । ଏହି ବର୍ଷ ପାଇଁ ମୋଟ ଲାଭର ୩୦ ପ୍ରତିଶତ ହିସାବରେ ଡିଭିଡେଣ୍ଡ୍ ରାଶି ହେଉଛି ୬ କୋଟି ୮୧ ଲକ୍ଷ ୨୮ ହଜାର ୨୧୦ ଟଙ୍କା । ଏହାର ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ସମ ପରିମାଣରେ ଅର୍ଥାତ ପ୍ରତ୍ୟେକ ଅଂଶୀଦାରଙ୍କୁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଏହି ଲାଭାଂଶ ଗ୍ରହଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ସଂପର୍କିତ ଆଲୋଚନା କରି ଏହାର ଆଧୁନିକୀକରଣ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।