ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟରେ ଔଦ୍ୟୋଗିକତା ଓ ଶିଳ୍ପର ଅଭିବୃଦ୍ଧି ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ଅବସରରେ ଏହି ଗୁରୁତ୍ୱାରୋପ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏ ଦିଗରେ କିଛି ରାଜ୍ୟ କାମ ଆରମ୍ଭ କରିଛନ୍ତି । ଏଣୁ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ବିଭାଗର ଅଧିକାରୀମାନେ ସମାନ ଆଭିମୁଖ୍ୟ ଗ୍ରହଣ କରିବାକୁ କହିଥିଲେ । ରାଜ୍ୟରେ ବହୁଳ ସଂଖ୍ୟାରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।
ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଥିବା ସମ୍ଭାବନା ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ, ଭାରତ ସରକାର ପ୍ରତିରକ୍ଷା ସାମଗ୍ରୀ ବିଦେଶରୁ ଆମଦାନୀକୁ ସୀମିତ କରି ଘରୋଇ ନିର୍ମାତାଙ୍କଠାରୁ ଉତ୍ପାଦ/ସାମଗ୍ରୀ କ୍ରୟ କରିବା ଉପରେ ପ୍ରାଥମିକତା ଦେଇଛନ୍ତି । ଏଣୁ ଏ ଦିଗରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗ ଉପରୋକ୍ତ ସାମଗ୍ରୀ ଉତ୍ପାଦନ ପାଇଁ ବିସ୍ତୃତ ପ୍ରକଳ୍ପ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ କହିଥିଲେ । ଏହି ପ୍ରକଳ୍ପ ପ୍ରୋଫାଇଲରେ ୟୁନିଟ୍ ସେଟ୍ଅପ୍, ଜମି, ନିବେଶ ଆବଶ୍ୟକତା, ଉପକରଣ ସୋର୍ସିଂ ଏବଂ ଅନ୍ୟାନ୍ୟ ବୈଷୟିକ ବିବରଣୀ ସହିତ ପ୍ରକଳ୍ପ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରାଜ୍ୟପାଳ ନିବେଶ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି, ବ୍ୟବସାୟର ସହଜତା ଏବଂ ଶିଳ୍ପନୀତି କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ । ଏତଦ୍ବ୍ୟତୀତ ରାଜ୍ୟର ଇନକୁବେସନ ସେଂଟର, ଷ୍ଟାର୍ଟ ଅପ୍ସ ଏବଂ ରପ୍ତାନୀ ସଂପର୍କିତ ପ୍ରସଙ୍ଗ ଉପରେ ରାଜ୍ୟପାଳ ସମୀକ୍ଷା କରି ରାଜ୍ୟରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ପଦକ୍ଷେପକୁ ସୁଦୃଢ଼ କରିବାକୁ ବିଭାଗକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।