ରାଜ୍ୟସ୍ତରୀୟ ସିଆରଇ କାର୍ଯ୍ୟକ୍ରମ ଉଦ୍ଘାଟିତ
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏସ୍ଆଇଏସ୍ଇଆର୍)ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା (ସିଆର୍ଇ) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ଶିଶୁମାନଙ୍କୁ ପ୍ରଥମରୁ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଦିଆଯାଇପାରିଲେ ସେମାନଙ୍କର ଭିନ୍ନକ୍ଷମତାକୁ ନିୟନ୍ତ୍ରଣ କରାଯାଇପାରିବ । ଚଳିତ ବର୍ଷର ଶୀର୍ଷକ ‘ବହୁବିଧ ଭିନ୍ନକ୍ଷମତା ପାଇଁ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ୱ’ ରହିଥିବାବେଳେ ଏହା ଆଜିର ସମୟର ପ୍ରାସଙ୍ଗିକତା ବୋଲି ମତ ରଖି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ ଯେ ଭିନ୍ନକ୍ଷମମାନଙ୍କ ମଧ୍ୟରେ ଅନେକ ଅନ୍ତର୍ନିହିତ ପ୍ରତିଭା ରହିଛି । ରାଜ୍ୟ ସରକାର ସେମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲା ଓ ବ୍ଲକ୍ସ୍ତରରେ ଭିନ୍ନକ୍ଷମ ପିଲାମାନଙ୍କ ଉପଚାର ପାଇଁ ଡିଡିଆର୍ସି, ଆଇଆଇସି ଏବଂ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ପୁନର୍ବାସ କେନ୍ଦ୍ର ଖୋଲାଯାଇଛି । ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉପଚାର, ସ୍ୱତନ୍ତ୍ର ଶିକ୍ଷା ଏବଂ ଶାରୀରିକ ଓ ମାନସିକ ଯତ୍ନକୁ ଗୋଟିଏ ସମନ୍ୱିତ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲକ୍ମାନଙ୍କରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସାଧାରଣ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପିଲାମାନେ ଉପଯୁକ୍ତ ଶିକ୍ଷା ପାଇପାରିବେ । ଏଥି ପାଇଁ ୧୫୦୦ ଶିକ୍ଷକ ନିୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି । ଅଭିଭାବକମାନଙ୍କୁ ଏ ବାବଦରେ ଶିକ୍ଷିତ କରାଯିବା ସହ ଗୋଷ୍ଠୀଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଦିନର ସିଆର୍ଇ ଅଧିବେଶନରେ ୧୫୦ ଜଣ ଅଂଶ ଗ୍ରହଣ କରିଥିଲେ ।