ପିସିଆର ଉପରେ ଚଢ଼ିଗଲା ହାଇୱା
କଟକ/ଫୁଲନଖରା : ସ୍ଥାନୀୟ ସିଆରଆରଆଇ ଥାନା ଅନ୍ତର୍ଗତ ଗତିରାଉତପାଟଣା ସ୍ଥିତ ନଦୀବନ୍ଧ ରାସ୍ତାରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ପିସିଆର ଭ୍ୟାନ ଉପରେ ଏକ ବାଲି ବୋଝେଇ ହାଇୱା ଚଢ଼ିଯିବା ଫଳରେ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତୁ୍ୟ ଘଟିଛି । ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡ଼ିଛି ।
ମୃତକଙ୍କ ଭିତରେ ଜଣେ ହୋମଗାର୍ଡ଼ ଓ ଅନ୍ୟ ଜଣେ ଓଏପିଏସ କନେଷ୍ଟବଳ ଥିଲେ । ମୃତ ଓଏପିଏସ ଯବାନଙ୍କ ନାମ ଲୋକନାଥ ଶବର ଏବଂ ହୋମଗାର୍ଡ଼ ଡ୍ରାଇଭରଙ୍କ ନାମ ଜଗବନ୍ଧୁ ମାହାଳୀ । ଆହତ ପୋଲିସ କର୍ମଚାରୀଙ୍କ ନାମ ପବିତ୍ର ମୋହନ ସେଠୀ ବୋଲି ଖବର ମିଳିଛି । ଗୁରୁତର ପୋଲିସ କର୍ମଚାରୀ ପବିତ୍ରଙ୍କୁ ଚିକିସôା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ତାକୁ ପୋଲିସ କଟକ ରେଳ ଷ୍ଟେସନରୁ ଧରିବାରେ ସକ୍ଷମ ହୋଇଛି । ଦୁର୍ଘଟଣା ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପିସିଆରଟି ସିଆରଆରଆଇ ଥାନାର ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ, ମଙ୍ଗଳବାର ଭୋର ସମୟରେ ମହାନଦୀ ବନ୍ଧ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପିସିଆର ଭ୍ୟାନକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପୋଲିସ ଗାଡ଼ିଟି ରାସ୍ତା ତଳକୁ ଓଲଟି ପଡ଼ିବା ପରେ ତାହା ଉପରେ ବାଲି ବୋଝେଇ ହାଇୱା ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ଡୁ୍ୟଟିରେ ଥିବା ୨ ପୋଲିସ କର୍ମଚାରୀଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯବାନଙ୍କ ନାମ ଲୋକନାଥ ଶବର ଓ ତାଙ୍କ ଘର ରାୟଗଡ଼ାରେ ବୋଲି ଜଣା ପଡ଼ିଛି । ଅପରପକ୍ଷରେ ହୋମଗାର୍ଡ଼ ଡ୍ରାଇଭରଙ୍କ ନାମ ଜଗବନ୍ଧୁ ମାହାଳୀ ଓ ତାଙ୍କ ଘର କଟକ ଜିଲ୍ଲା କିଶନନଗରରେ ବୋଲି ସୂଚନା ରହିଛି । ଉଭୟଙ୍କ ପରିବାରଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଛି । ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଚିକିସôା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଭାବେ ଆହତ ହୋଇଥିବା ପୋଲିସ କର୍ମଚାରୀ ପବିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡ଼ିକାଲ ସୂତ୍ରରୁ ଖବର ମିଳିଛି । ଏଣେ ଟ୍ରକ ଚାଳକଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି । ମୃତ ପୋଲିସ କର୍ମଚାରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା । ବ୍ୟବଚ୍ଛେଦ ପରେ ମୃତ ଦେହକୁ ମଙ୍ଗଳାବାଗ ଥାନାକୁ ଅଣାଯାଇ ସେଠାରେ ଡିସିପି ରିଶିକେଶ ଖିଲାରୀ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମୃତ ପୋଲିସ କର୍ମଚାରୀଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା । ଫାଙ୍କା ରାସ୍ତାରେ କିପରି ଦୁର୍ଘଟଣା ଘଟିଲା ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂହ କହିଛନ୍ତି । କଟକ ପାରାଦୀପ ରାସ୍ତାର ଗତିରାଉତପାଟଣା ସ୍ଥିତ ନଦୀବନ୍ଧରେ ସଡ଼କ ଦୁର୍ଘଟଣା କର୍ତ୍ତବ୍ୟରତ ୨ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ଏଥି ସହ ମୁଖ୍ୟମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।