ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପିଆଇବି ଏଡିଜି

ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବୁ୍ୟରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି "ଗାନ୍ଧିଜୀଙ୍କ ଦୃଷ୍ଟିକୋଣରେ ନାରୀ’ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି । ପିଆଇବି ଓ ସିବିସିର ଅତିରିକ୍ତ ମହାନିଦେ୍ର୍ଦଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଅତିଥି ଭାବେ ଡ. ହୃଷିକେଶ ମଲ୍ଲିକ, ସ୍ୱତନ୍ତ୍ର ଅତିଥି ଭାବେ ସମ୍ବିତ  ତ୍ରିପାଠୀ ପୂର୍ବତନ ଆୟକର କମିଶନର, ଡ଼. ହିମାଦ୍ରି ତନୟା ମିଶ୍ରଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନେ ‘ଗାନ୍ଧିଜୀଙ୍କ ଦୃଷ୍ଟିକୋଣରେ ନାରୀ’ ବିଷୟରେ ଆଲୋକପାତ କରିଥିଲେ ।  
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିଆଇବି ଏଡିଜି ଶ୍ରୀ  ମିଶ୍ର କହିଥିଲେ, ‘ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରାରେ ନାରୀଙ୍କୁ ଏକ ସଶକ୍ତ ଶକ୍ତି ଭାବରେ ଦେଖାଯାଇଛି । ସେମାନଙ୍କର ସହନଶୀଳତା, ସତ୍ୟ ପ୍ରତି ଅଗାଢ ବିଶ୍ୱାସ ଓ ନୀତିମୂଳକ ଦୃଢତା, ସମାଜକୁ ନୂଆ ଦିଗାରେ ଆଗେଇ ନେବାରେ ସବୁବେଳେ ଶକ୍ତିଶାଳୀ ହୋଇଥାଏ । ଗାନ୍ଧିଜୀଙ୍କ ମତାନୁସାରେ, ନାରୀଙ୍କୁ ଅବହେଳା କରି ସମାଜର ସମ୍ପୂର୍ଣ୍ଣ ଉନ୍ନତି କେବେ ବି ସମ୍ଭବ ନୁହେଁ । ସେମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । କାର୍ଯ୍ୟକ୍ରମରେ ବିଶେଷ ଅତିଥି ଡ଼. ହୃଷିକେଶ ମଲ୍ଲିକ ତାଙ୍କର ଅଭିଭାଷଣରେ କହିଥିଲେ, ସାହିତ୍ୟ ଓ ଇତିହାସରେ ଯେପରି ନାରୀଙ୍କ ଅବଦାନ ରହିଛି, ସେହିପରି ଗାନ୍ଧିଜୀଙ୍କ ଆନେ୍ଦାଳନରେ ମଧ୍ୟ ସେମାନଙ୍କର ଭୂମିକା ଅସାଧାରଣ ।  ସମ୍ମାନିତ ଅତିଥି ଡ଼. ହିମାଦ୍ରି ତନୟା ମିଶ୍ର ତାଙ୍କର ଉଦବୋଧନରେ କହିଥିଲେ, ମହାତ୍ମା ଗାନ୍ଧିଙ୍କୁ ରାଷ୍ଟ୍ରପିତା ଭାବେ ସମ୍ମାନ କରାଯାଏ । ତାଙ୍କ ଜୀବନ ଆଦର୍ଶ, ସତ୍ୟ, ଅହିଂସା ଓ ସରଳତା ଉପରେ ଆଧାରିତ ଥିଲା । ସମ୍ବିତ ତ୍ରିପାଠୀ ତାଙ୍କ ଉଦବୋଧନରେ କହିଥିଲେ, ଗାନ୍ଧିଜୀଙ୍କ ଚିନ୍ତାଧାରାରେ ନାରୀଙ୍କୁ ଯେଉଁ ସମ୍ମାନ ଓ ସ୍ଥାନ ଦିଆଯାଇଛି, ତାହା ଏକ ସାହସିକ ପଦକ୍ଷେପ । କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଯାଇଥିଲା । ଭୁବନେଶ୍ୱରର ସିବିସିର କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ଉପ ନିଦେ୍ର୍ଦଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ ।