ରାସୋଳ ମହୋତ୍ସବ ଉଦ୍ଘାଟିତ
ହିନେ୍ଦାଳ : ଗୌରବଜ୍ୱଳ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ପାଥେୟ କରି ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ୨୦ତମ ରାସୋଳ ମହୋତ୍ସବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି । ପ୍ରତିବର୍ଷ ଭଳି ଗ୍ରାମର ଆରାଧ୍ୟା ଦେବୀ ଶ୍ରୀ ଶ୍ରୀ ମା’ ଦକ୍ଷିଣ କାଳୀଙ୍କ ପାରମ୍ପରିକ ଝାମୁଯାତ୍ରା ସମ୍ପନ୍ନ ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟଘଣ୍ଟା, ଢୋଲ ବାଦ୍ୟ, ଲଉଡ଼ି ଖେଳ ଓ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇ ସ୍ଥାନୀୟ ଖେଳ ପଡିଆ ଠାରେ ସାଂସ୍କୃତିକ ମଞ୍ଚରେ ସ୍ଥାପନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରାସୋଳ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଆଜିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ବିକାଶ ପରିଷଦ ସଭାପତି ମହେଶ୍ୱର ନାଏକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶ୍ୱ ହିନ୍ଦୁ ପରିଷଦର ସଧାରଣ ସମ୍ପାଦକ ମହେଶ କୁମାର ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସିମା ରାଣୀ ନାଏକ, କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନେ୍ଦାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବରୁଣ କୁମାର ସର ଓ ରାସୋଳ ସରପଞ୍ଚ ଦିବାକର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ନନ୍ଦିନୀ ମିଶ୍ର ଶାନ୍ତି ପାଠ କରିଥିଲେ । ବିକାଶ ପରିଷଦ ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ ପରିଷଦର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର ଶ୍ୱେତପଦ୍ମାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତବେ ପାଗ ଅନୁକୂଳ ଥିବାରୁ ପ୍ରବଳ ଜନ ସମାଗମ ହୋଇଥିଲା ।