ରାସ୍ତା ପାଲଟିଛି ମରଣଯନ୍ତା

 ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ପଞ୍ଚାୟତର  ମାଲିକୁର୍ଲା ଠାରୁ ଡୁମେର ମୁଡା ରାସ୍ତା ନିମ୍ନମାନର କାର୍ଯ୍ୟ ଯୋଗୁଁ ମରଣଯନ୍ତା ପାଲଟି ଥିବା ଅଭିଯୋଗ ହୋଇଛି । ଦୁଇ ଚକିଆ ଯାନ ତ ଦୂରର କଥା ପାଦରେ ଚାଲି ଚାଲି ଯିବା ବି କଷ୍ଟ ହେଉଥିବା ପଥଚାରୀ  ସହ ଅଭିଯୋଗ ରଖିଛନ୍ତି ପଡ଼ାବାସୀ । ମନରେଗାରେ ହୋଇଥିଲା ନିମ୍ନମାନର କାର୍ଯ୍ୟ ଯୋଗୁଁ ଯନ୍ତ୍ରଣା ପାଉଥିବା ସହ ବହୁ ହଇରାଣ ହେଉଛନ୍ତି ପଡ଼ାବାସୀ । ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ବର୍ତ୍ତମାନ ଆସରାଏ ବର୍ଷାରେ ଖାଲଖମା କାଦୁଅ ପଚପଚ ରାସ୍ତାରେ ପାଣି ଜମି ରହିଥିବାରୁ ଦୁଇ ଚକିଆ ଗାଡ଼ିଟିଏ ଚାଲିବା ଦୂରର କଥା ସାଇକେଲ ଟିଏ ମଧ୍ୟ ଚାଲୁନି, ବହୁ କଷ୍ଟେ ମଷ୍ଟେ ଖାଲି ପାଦରେ  ଚାଲି ଚାଲି ଯିବାକୁ ପଡୁଛି । ଏଭଳି ରାସ୍ତା ଯୋଗୁଁ ଏକ ପ୍ରକାର ପଡ଼ାବାସୀ ଓ ପଥଚାରୀ କାଦୁଅରେ ପହଁରୁ ଥିବା ଅଭିଯୋଗ କରିଛନ୍ତି । କୁନି କୁନି ପିଲାମାନେ ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି । ଏଥିପ୍ରତି ସ୍ଥାନୀୟ ବିଡିଓଙ୍କୁ ପଚାରିବାରୁ ଏହା ଆଗରୁ ମନରେଗାରେ କାମ ହୋଇଥିଲା ଓ ବର୍ତ୍ତମାନ  ତଦନ୍ତ କରି ବାକି ରହିଥିବା କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  ତେବେ କେବେ ଉକ୍ତ ସମସ୍ୟାର ସମାଧାନ ହୋଇ ପଡାବାସୀ କେବେ ଖଣ୍ଡିଏ ଭଲ ରାସ୍ତା ପାଇପାରିବେ ତାହା କେବଳ ଦେଖିବାକୁ ବାକି ରହିଲା ।