ରାସ୍ତା ଶୋଚନୀୟ

 ଭୁବନେଶ୍ୱର :  ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା କୁପାରୀ ପୂର୍ତ୍ତ ବିଭାଗ ରାସ୍ତାର କାଣ୍ଡବା ଛକରୁ  ଇଟୁଆ ଯାଏ ୧୦ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ଶୋଚନୀୟ ହୋଇପଡ଼ିଛି । ରାସ୍ତା ସାରା ପିଚୁ ଉଠିଯାଇ ବଜୁରି ବିଛାଡି ହୋଇ ପଡିଥିବା ବେଳେ ଖାଲଖମା ଭର୍ତ୍ତି ଯୋଗୁ ପ୍ରତ୍ୟେହ ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ରାସ୍ତା ମରାମତି କରିବାକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଆଜକୁ ୧୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ପିଚୁ ରାସ୍ତାଟି ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଫଳରେ ସଂପୃକ୍ତ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇଛି । ଏହି ରାସ୍ତା ଉପରେ ବନ୍ତ ବ୍ଲକର ଗୋପିନାଥପୁର, ଅଣିଜୋ, ଚାରିଗାଁ, ଓ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବରଦା ଓ ଭଦ୍ରକ ବ୍ଲକ ବାଣିତିଆ, କାଉପୁର, ନାଲଗରା ଆଦି ଅଂଚଳର ସହସ୍ରାଧିକ ଲୋକ ନିର୍ଭର କରି ଦୈନଦିନ ଯାତାୟତ କରିଥାନ୍ତି । ଆଗରପଡ଼ା ଥାନା, ଡ଼ାକ୍ତରଖାନା, କଲେଜକୁ ଯିବାକୁ ଏହି ରାସ୍ତାଟି ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଦମକଳ, ଆମ୍ବୁଲାନ୍ସ ମଧ୍ୟ ଗାଁକୁ ସଠିକ୍ ସମୟରେ ପହଂଚି ପାରୁୁନି । ଅପରପକ୍ଷେ ଏହି ରାସ୍ତା ଯାତାୟାତ ଅନୁପଯୋଗୀ କାରଣରୁ ସଂପୃକ୍ତ ଅଂଚଳର ଲୋକେ ୭ କି.ମି ଦୂର କେନାଲ ରାସ୍ତାରେ ଯାଅ ଆସ କରୁଛନ୍ତି । ଉପରୋକ୍ତ ବ୍ୟସ୍ତ ବହୁଳ ରାସ୍ତାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।