ବାଟବଣା ବସୁଧା ଯୋଜନା
ଭୁବନେଶ୍ୱର: ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଠିକାଦାର ଓ ପ୍ରଶାସନର ଅବହେଳା ପାଇଁ ଜନସାଧାରଣ ଯୋଜନାର ସୁବିଧା ସୁଯୋଗ ପାଇବାରୁ ବଞ୍ଚôତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ପଞ୍ଚାୟତର ଶାସିପଦର ଏବଂ ବରେବାଟା ଗାଁରେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାର ଦ୍ୱାରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ ଅଧିନରେ ୨୦୨୦ ମସିହାରେ କାଶିନିପଦର ପଞ୍ଚାୟତ ବରେବାଟାଠାରେ ୫୯ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟରେ ବସୁଧା ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ବରେବାଟା ଓ ଶାଶିପଦର ୨ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ପ୍ରକଳ୍ପର ପାଣି ଟାଙ୍କି ନିର୍ମାଣ ଓ ବରେବାଟା ଗ୍ରାମର ପ୍ରତ୍ୟେକ ଘରକୁ ଜଳଯୋଗାଣ ପାଇଁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ସମ୍ପୂର୍ଣ୍ଣ ହୋଇଛି । ଶାଶିପଦର ଗ୍ରାମର କିଛି ଘରକୁ ପାଇପ୍ ଏବଂ ଟ୍ୟାପ୍ ସଂଯୋଗ ହେଇଥିବାବେଳେ କିଛି ଘରକୁ କୌଣସି ପାଇପ କିମ୍ବା କୌଣସି ଟ୍ୟାପ ସଂଯୋଗ କରାଯାଇନାହିଁ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ୨ ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ପରିବାରକୁ ଏ ପର୍ଯ୍ୟନ୍ତ ପାଣି ଟୋପାଏ ମିଳି ପାରିନାହିଁ । ଏ ସଂକ୍ରାନ୍ତରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ, ଫୁଲବାଣୀ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁଁ ଆଜି ଦୁଇ ଗ୍ରାମବାସୀ ବସୁଧା ପ୍ରକଳ୍ପର ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମୂହ ଗ୍ରାମମାନଙ୍କରେ ସଂଯୋଗ ହୋଇନଥିବା ଘରମାନଙ୍କୁ ପାଇପ୍ ଲାଇନ୍ ସଂଯୋଗ କରି ଷ୍ଟାଣ୍ଡପୋଷ୍ଟ ତିଆରି କରିବା ସହିତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।