ରାସ୍ତାରେ ଭାସୁଛି ପାଣି
ତାଳଚେର: ତାଳଚେର ପୌରପରିଷଦ କାର୍ଯ୍ୟାଳୟକୁ ଲାଗି ରହିଥିବା ବାପୁଜୀନଗର ୱାର୍ଡ଼ ନଂ ୧୧ ଓ ୪ନମ୍ବର ୱାର୍ଡ଼ରେ ଥିବା ପୋଖରୀରୁ ଅନବରତ ପାଣି ଛୁଟି ପରିବହନ ବିଭାଗ କାର୍ଯ୍ୟାଳୟ ଓ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଜଳାର୍ଣ୍ଣବ ହେଉଛି । ଯାହାଫଳରେ ଯାତାୟତ ପାଇଁ ବାଟୋଇ, ଦାଣ୍ଡୋଇ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଅପ୍ୟପକ୍ଷରେ ପାଣିଟୋପେ ପାଇଁ ତାଳଚେର ଅଂଚଳରେ ହାହାକାର ପଡ଼ୁଥିବା ବେଳେ ଏଠାରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ପରିତାପର ବିଷୟ ହୋଇଛି । ଏହି ରାସ୍ତା ଦେଇ କଲେଜ ଛାତ୍ରଛାତ୍ରୀ, ଅଙ୍ଗାନାବାଡ଼ି, ତାଳଚେର ବସଷ୍ଟାଣ୍ଡ ଏବଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ଲୋକେ ଯାତାୟତ କରିଥାନ୍ତି । ଫଳରେ ଏପରି ସମସ୍ୟା ଯୋଗୁଁ ଲୋକେ ଦହଗଞ୍ଜ ହେଉଛନ୍ତି । ଏ ନେଇ ଅଂଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ହେଁ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ତୁରନ୍ତ ପୌର ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।