କନେଷ୍ଟବଳ ଅଶ୍ୱିନୀ ପାଇବେ ରାଜ୍ୟପାଳ ପଦକ
ଅନୁଗୁଳ: ନିଷ୍ଠାପର ସେବା ଓ କର୍ତ୍ତବ୍ୟରେ ସଫଳତା ପାଇଁ ଅନୁଗୁଳ ପୁଲିସରେ କାର୍ଯ୍ୟରତ କନେଷ୍ଟବଳ ଅଶ୍ୱିନିକାନ୍ତ ସାହୁ ରାଜ୍ୟପାଳ ପଦକ ପାଇଁ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ୨୦ ଜଣ ପୁଲିସଙ୍କୁ ଏହି ପଦକ ପ୍ରଦାନ କରାଯିବ । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟନିଷ୍ଠ ଉପରୋକ୍ତ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ଏହି ତାଲିକାରେ ଅଶ୍ୱିନିକାନ୍ତ ମଧ୍ୟ ସ୍ଥାନ ପାଇଛନ୍ତି । ଅଶ୍ୱିନୀ ଅଗଷ୍ଟ ୨୦୧୩ରେ ପୁଲିସରେ ଯୋଗଦାନ କରିଥିଲେ । ପ୍ରଥମରୁ ରିଜର୍ଭ ଅଫିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ଅଶ୍ୱିନୀ ପରେ ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ ୨ ବର୍ଷ ଓ ପରେ ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ଅନୁଗୁଳ ଥାନାରେ ଦାୟିତ୍ୱ ତୁଲାଇଥିଲେ । ପରେ ସେ ଅନୁଗୁଳ ସାଇବର ଥାନାରେ ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି । ଅଶ୍ୱିନୀଙ୍କ ଏପରି ସଫଳତା ପାଇଁ ତାଙ୍କ ପରିବାର ଓ ସହକର୍ମୀଙ୍କ ମହଲରେ ଖୁସି ଖେଳି ଯାଇଛି ।