ରାହୁଲଙ୍କୁ "ଭୋଟ୍ ଚୋରି' ଝଟ୍କା : ଚିଠି ଲେଖିଲେ ୨୭୨ ବିଶିଷ୍ଟ ବ୍ୟକ୍ତି
ନୂଆଦିଲ୍ଲୀ : କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ ଝଟକା । ବାରମ୍ବାର ଭୋଟ ଚୋରି ଅଭିଯୋଗ ଉପରେ ଉଦବେଗ ପ୍ରକାଶ କରିଛନ୍ତି ଦେଶର ବହୁ ବିଶିଷ୍ଟ ବ୍ୟକ୍ତି । ରାହୁଲଙ୍କ ନିର୍ବାଚନ କମିଶନଙ୍କ ଉପରେ ଆକ୍ରମଣକୁ ପୂର୍ବତନ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଓ ପ୍ରବୀଣ ସଶସ୍ତ୍ର ବାହିନୀ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ଦୃଢ ନିନ୍ଦା କରିଛନ୍ତି । ବାରମ୍ବାର ନିର୍ବାଚନୀ ବିଫଳତାରୁ ଜନ୍ମିତ କ୍ରୋଧ ନିର୍ବାଚନ କମିଶନର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଅଭିଯୋଗ କରିଛନ୍ତି ।
ଭାରତର ପୂର୍ବତନ ବିଚାରପତି ଓ ପୂର୍ବତନ ପ୍ରଶାସକମାନେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲିଙ୍କୁ ଖୋଲା ଚିଠି ଲେଖିଛନ୍ତି । ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଭାରତର ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରାଯିବା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୋଲା ଚିଠିରେ କୁହାଯାଇଛି ଯେ ରାଜନୀତିକ ହତାଶକୁ ଲୁଚାଇବା ପାଇଁ ସଂସ୍ଥାଗୁଡ଼ିକୁ ଟାର୍ଗେଟ୍ କରାଯାଉଛି । କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଉପରେ ବିଜେପି ସହ ମିଶି କାମ କରୁଥିବା ଅଭିଯୋଗ କରି ଆସୁଛି । ଚିଠିରେ କୁହାଯାଇଛି, ସମାଜରେ ଆମେ ବରିଷ୍ଠ ନାଗରିକ ଓ ଏହା ବିଷୟ ଉପରେ ଚିନ୍ତା ବ୍ୟକ୍ତ କରୁଛୁ ଯେ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଏହା ଆକ୍ରମଣ ବଳରେ ନୁହେଁ, ବରଂ ଏହାର ସଂସ୍ଥାଗୁଡ଼ିକ ଉପରେ ବିଷାକ୍ତ ବୟାନବାଜି ଜରିଆରେ କରାଯାଉଛି । କିଛି ରାଜନେତା କୌଣସି ବାସ୍ତବିକ ନୀତି ବିକଳ୍ପ ଉପସ୍ଥାପନ ନକରି ନିଜର ନାଟକୀୟ ରାଜନୀତିକ ରଣନୀତିରେ ଉତ୍ତେଜନପୂର୍ଣ୍ଣ ଓ ଭିତ୍ତିହୀନ ଅଭିଯୋଗର ସାହାରା ନେଉଛନ୍ତି । ୨୭୨ ଜଣ ଏହି ଖୋଲା ଚିଠିରେ ଦସ୍ତଖତ କରିଛି ।
ଏମାନଙ୍କ ମଧ୍ୟରେ ୧୬ ଜଣ ଅବସରପ୍ରାପ୍ତ ବିଚାରପତି, ୧୨୩ ଜଣ ପୂର୍ବତନ ପ୍ରଶାସକ, ୧୩୩ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଅଛନ୍ତି । ଚିିଠିରେ ଆହୁରି କୁହାଯାଇଛି, ଭାରତୀୟ ସଶସ୍ତ୍ର ବଳଙ୍କ ସାହାସ ଓ ଉପଲବ୍ଧି ଉପରେ ପ୍ରଶ୍ନ ଉଠାଇ ଛବି ଖରାପ କରିବା, ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବ, ସଂସଦ ଓ ଏହାର ପଦାଧିକାରୀଙ୍କ ଉପରେ ପ୍ରଶ୍ନ ଉଠାଇବା ପରେ ଏବେ ନିର୍ବାଚନ ଆୟୋଗଙ୍କ ପାଳି । ଯଦି ଭୋଟ ଚୋରି ହେଉଛି କାହିଁକି ତାଙ୍କ ଦ୍ୱାରା କୌଣସି ଔପଚାରିକ ଅଭିଯୋଗ ଦାଖଲ କରାଯାଇ ନାହିଁ । କଂଗ୍ରେସ ଓ ଅନ୍ୟ ଦଳର ଅନେକ ବରିଷ୍ଠ ନେତା, ବାମପନ୍ଥୀ, ଏନଜିଓ, ଧ୍ୟାନ ଆକର୍ଷିତ କରାଉଥିବା କିଛି ଲୋକ ଏସଆଇଆର୍ ବିରୁଦ୍ଧରେ ଏହି ବୟାନବାଜିରେ ସମର୍ଥନ ଜଣାଉଛନ୍ତି । ଏପରି ବୟାନବାଜି ଭାବନାତ୍ମକ ଭାବେ ଶକ୍ତିଶାଳୀ ହୋଇପାରେ, କିନ୍ତୁ ତଦନ୍ତରେ ଏହା ତିଷ୍ଠିବ ନାହିଁ, କାରଣ ନିର୍ବାଚନ ଆୟୋଗ ସାର୍ବଜନୀନ ଭାବେ ଏସଆଇଆରର ପ୍ରକ୍ରିୟା ସେୟାର କରିଛନ୍ତି, ଏହାର ନୀରିକ୍ଷଣ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରକ୍ରିୟାରେ କରାଯାଉଛି । ଅଯୋଗ୍ୟ ନାମଗୁଡ଼ିକୁ ହଟାଯାଇଛି ଓ ନୂଆ ଯୋଗ୍ୟ ମତଦାତାଙ୍କୁ ସାମିଲ କରାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଏହି ଅଭିଯୋଗ ସଂସ୍ଥାଗତ ସଂକଟ ଆଳରେ ରାଜନୀତିକ ହତାଶକୁ ଲୁଚାଯାଉଛି ।