ଲଦାଖରେ ଜେନ-ଜେଡ୍ ତାତି: ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଜଳାପୋଡ଼ା
ଲଦାଖ: ଲଦାଖରେ ଦେଖିବାକୁ ମିଳିଛି ନେପାଳ ସ୍ଥିତି । ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁବ ପିଢି । ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଛାତ୍ର ସମାଜ । ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଆଜି ହିଂସ୍ର ରୂପ ନେଇଥିଲା । ଯୁବ ପିଢି ବା ଜେନ-ଜେଡ ଗୋଷ୍ଠୀ ବିକ୍ଷୋଭ କରିବା ସହ ଜଳାପୋଡା ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ସହ ଛାତ୍ର ଗୋଷ୍ଠୀଙ୍କ ସଂଘର୍ଷ ଘଟିଥିଲା । ଫଳରେ ଏକ ସିଆରପିଏଫ ଗାଡିରେ ନିଅାଁ ଲଗାଇଦେଇଥିଲେ । ଏହି ଜଳାପୋଡାରେ ୪ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସେଠାରେ କର୍ଫୁ୍ୟ ଜାରି କରାଯାଇଛି । ୪ଜଣରୁ ଉଦ୍ଧ୍ୱର୍ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି ।
ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଓ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଆଜି ଆନେ୍ଦାଳନ କରାଯାଇଥିଲା । ଆନେ୍ଦାଳନ ବେଳେ ପ୍ରତିବାଦକାରୀ ହିଂସ୍ର ହୋଇ ଉଠିଥିଲେ । ପୋଡାଜଳା ସମୟରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଏକ ଗାଡ଼ି ମଧ୍ୟ ପୋଡ଼ି ଦେଇଥିଲେ । ହିଂସାକୁ ଦମନ କରିବା ପାଇଁ ପୁଲିସ ପ୍ରତିବାଦକାରୀଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ଓ ଲାଠିଚାର୍ଜ କରିଥିଲା । ଗତ୧୦ ତାରିଖରୁ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ନେତୃତ୍ୱରେ ଅନଶନରେ ଥିବା ୧୫ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ବନ୍ଦ ଡାକରା ଦିଆଯାଇଥିଲା । ୱାଙ୍ଗଚୁକ ମଙ୍ଗଳବାର ତାଙ୍କର ୧୫ ଦିନିଆ ଅନଶନ ସମାପ୍ତ କରିଛନ୍ତି ଓ ସମର୍ଥକମାନଙ୍କୁ ହିଂସା ଏଡାଇବାକୁ ଅନୁରୋଧ କରିଛନ୍ତି । ବିଭିନ୍ନ ଦାବି ନେଇ ୱାଙ୍ଗଚୁକ ଦୀର୍ଘ ଦିନ ହେବ ଅନଶନ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ତେଣୁ କେନ୍ଦ୍ରର ବୈମାତୃକ ମନଭାବକୁ ନେଇ ସେଠାକାର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ହିଂସାରେ ନିଅାଁ ଜଳି ଉଠିଛି । ଆଜିର ଘଟଣା ପରେ କେନ୍ଦ୍ର ଓ ଲଦାଖର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ନୂତନ ଆଲୋଚନା ପାଇଁ ଅକ୍ଟୋବର ୬ ତାରିଖ ସ୍ଥିର ହୋଇଛି । ଯେଉଁଥିରେ ଲେହ ଆପେକ୍ସ ବଡି (ଏଲଏବି) ଓ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (କେଡିଏ) ର ସଦସ୍ୟମାନେ ସାମିଲ ହେବେ । ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରି ୱାଙ୍ଗଚୁକ ଶାନ୍ତ ରହିବାକୁ ନିବେଦନ କରିଛନ୍ତି । ମୁଁ ଯୁବକମାନଙ୍କୁ ପୋଡ଼ାଜଳା ଓ ସଂଘର୍ଷ ବନ୍ଦ କରିବାକୁ ଅନୁରୋଧ କରୁଛି । ଆମେ ଆମର ଅନଶନ ସମାପ୍ତ କରୁଛୁ ଓ ମୁଁ ପ୍ରଶାସନକୁ ଲୁହ ବୁହା ଗ୍ୟାସ ବ୍ୟବହାର ବନ୍ଦ କରିବାକୁ ଅନୁରୋଧ କରୁଛି । ହିଂସାରେ ଜୀବନ ହାରିବା ପରେ କୌଣସି ଅନଶନ ସଫଳ ହୁଏ ନାହିଁ ବୋଲି ୱାଙ୍ଗଚୁକ କହିଛନ୍ତି ।