ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବ ଏଆଇ-କ୍ୟାମେରା

ରେଳ ଟ୍ରାକରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବ ଏଆଇ-କ୍ୟାମେରା

ନୂଆଦିଲ୍ଲୀ : ରେଳ ଧାରଣା ଉପରକୁ ଚାଲି ଆସୁଥିବା ହାତୀଙ୍କ ଉପସ୍ଥିତି ବିଷୟରେ ଆଗୁଆ ଜାଣିବା ପାଇଁ ଡିଷ୍ଟ୍ରିବ୍ୟୁଟେଡ୍‌ ଆକୋଷ୍ଟିକ୍‌ ସିଷ୍ଟମ୍‌ (ଡିଏଏସ) ବ୍ୟବହାର କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସକ୍ଷମ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ (ଆଇଡିଏସ) ନିୟୋଜିତ କରିଛି ଭାରତୀୟ ରେଳବାଇ । ହାତୀଙ୍କ ସହ ଟ୍ରେନ୍‌ ଧକ୍କାକୁ ରୋକିବା ଲାଗି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ୧୪୧ ଆରକେଏମ ସେକ୍ସନରେ ଏଆଇ ପରିଚାଳିତ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରଣାଳୀ ସଫଳତାର ସହ କାର୍ଯ୍ୟ କରୁଛି ଏବଂ ଏହାର କାର୍ଯ୍ୟଦକ୍ଷତାକୁ ଆଧାର କରି ସମ୍ପୂର୍ଣ୍ଣ ଭାରତୀୟ ରେଳବାଇ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ୯୮୧ ଆରକେଏମ ସେକ୍ସନରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଅଧିକ ଟେଣ୍ଡର ପ୍ରଦାନ କରାଯାଇଛି । ଏହା ସହିତ ମୋଟ୍‌ ସମ୍ପ୍ରସାରଣ ୧୧୨୨ ଆରକେଏମକୁ ବୃଦ୍ଧି ପାଇବ ।


   ଏହି ପ୍ରଣାଳୀ ରେଳପଥ ନିକଟରେ ହାତୀଙ୍କ ଗତିବିଧି ବିଷୟରେ ଲୋକୋ ପାଇଲଟ୍‌, ଷ୍ଟେସନ ମାଷ୍ଟର ଏବଂ ନିୟନ୍ତ୍ରଣ କକ୍ଷକୁ ଠିକଣା ସମୟରେ ସତର୍କ କରାଇଦେବ । ଏହାଦ୍ୱାରା ସମୟୋଚିତ ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ୫୦୦ ମିଟର ପୂର୍ବରୁ ଲୋକୋ ପାଇଲଟମାନଙ୍କୁ ଏଆଇ ଆଧାରିତ କ୍ୟାମେରା ସତର୍କ କରାଇଦେବ । ଭାରତୀୟ ରେଳବାଇ ପ୍ରଯୁକ୍ତିବିଦ୍ୟା ଆଧାରିତ ସମାଧାନ ମାଧ୍ୟମରେ ରେଳ ଧାରଣାରେ ବନ୍ୟପ୍ରାଣୀ, ବିଶେଷକରି ହାତୀଙ୍କ ମୃତ୍ୟୁକୁ ରୋକିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି ।