ବିଜେଡ଼ିକୁ ଏବେ ଅରୁଣ ଭରସା

Arun kumar Sahu, Biju Janata Dal

ବିଜେଡ଼ିକୁ ଏବେ ଅରୁଣ ଭରସା

ଦିନେ ଅରୁଣ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତା ଅନ୍ୟ ଦଳର ନେତାଙ୍କୁ ବିଚଳିତ କରିଦେଉଥିଲା  । ଧର୍ମେନ୍ଦ୍ର ପ୍ରଧାନ ଓ ଲୁଲୁ ମହାପାତ୍ରଙ୍କ ଭଳି ନେତାମାନେ ମଧ୍ୟ ଅରୁଣଙ୍କୁ ବାହାବା ଦେଉଥିଲେ  । ବିଜୁ ଜନତା ଦଳରେ ବି ଗୋଟିଏ ସମୟରେ ତାଙ୍କର ଢେର କାଟତି ଥିଲା  । ଛାତ୍ର ଜନତା ଦଳର ସଭାପତି ଭାବେ ସାରା ରାଜ୍ୟରେ ତାଙ୍କର ପରିଚୟ ବି ଥିଲା  । ପ୍ୟାରୀମୋହନ ମହାପାତ୍ରଙ୍କ ଅମଳରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମା ବେଶ୍‌ ଦବଦବା ଜାହିର କରୁଥିଲେ  । ଛାତ୍ର ଓ ଯୁବ ସଂଗଠନ ସେମାନଙ୍କ ହାତରେ ହିଁ ରହିଥିଲା  । ପ୍ୟାରୀଙ୍କ ପରେ ବିଜେଡ଼ିରେ କଳ୍ପତରୁ ଦାସ ପାୱାରଫୁଲ୍‌ ହୋଇଯାଇଥିଲେ  । ସେତେବେଳେ ବି ଅରୁଣଙ୍କୁ ଗୁରୁତ୍ୱ ମିଳୁଥିଲା  । କିନ୍ତୁ ପରେପରେ ବିଜେଡ଼ିରେ ହଠାତ୍‌ ବବି ଦାସଙ୍କର ଶକ୍ତି ବଢ଼ିଥିଲା  । ଦଳର ସାଂଗଠନିକ ସମ୍ପାଦକ ହେବାପରେ ଅତନୁ, ସଂଜୟ ଓ ଅରୁଣ ନିଷ୍ପ୍ରଭ ହୋଇଯାଇଥିଲେ  । ଗାଏମୋଟ କହିଲେ ବବି ଆସିବା ପରେ ସଂଜୟ, ଅତନୁ ଓ ଅରୁଣଙ୍କର ଆଉ ଦଳରେ କାଟତି ରହିଲାନି  । କିନ୍ତୁ ଚବିଶ ପରେ ବିଜେଡ଼ି ରାଜନୀତିର ଦୃଶ୍ୟପଟ୍ଟ ବଦଳିଯାଇଛି  । ବବି ଦାସ, ଅତନୁ ସବ୍ୟସାଚୀ ଓ ସଂଜୟ ଦାସବର୍ମା ନିର୍ବାଚନରେ ପରାସ୍ତ ହୋଇଛନ୍ତି  । ଏବେ ବିଧାନସଭାରେ ବିଜେଡ଼ିର ତରୁଣ ତୁର୍କଙ୍କ ମଧ୍ୟରେ କେବଳ ଅରୁଣ ହିଁ ଅଛନ୍ତି  । ଗତ ବିଧାନସଭା ଅଧିବେଶନରେ ଅରୁଣ ହିଁ ସବୁ କ୍ଷେତ୍ରରେ ଆଗୁଆ ରହିଥିଲେ  । ଦଳ ତାଙ୍କୁ ହିଁ ଆଗକୁ ଛାଡ଼ିଥିଲା  । ଶୂନ୍ୟକାଳରେ ଅରୁଣ ହିଁ ପ୍ରଥମେ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଥିଲେ  । ବଜେଟ ଆଲୋଚନା ବେଳେ ଅରୁଣଙ୍କ ହିଁ ପ୍ରଥମେ ସୁଯୋଗ ମିଳୁଥିଲା  । ଅର୍ଥାତ୍‌ ଏବେ ଅରୁଣଙ୍କର ଦବଦବା ବିଜେଡ଼ିରେ ଢେର ବଢ଼ିଯାଇଛି  । ଆଗାମୀ ଦିନରେ ନବୀନ ତାଙ୍କର ନୂଆ ଟିମ୍‌ ଗଢ଼ିବାକୁ ଯାଉଛନ୍ତି  । ବବି ଦାସଙ୍କ ଉପରେ ଆଉ ନବୀନଙ୍କର ଆଗଭଳି ଆସ୍ଥା ନାହିଁ  । ତେଣୁ ଅରୁଣଙ୍କୁ ବଡ଼ ଦାୟିତ୍ୱ ମିଳିବ ବୋଲି ଜାଣିବାକୁ ମିଳିଛି  ।