ଲକ୍ଷପତି ଦିଦି ଓଡ଼ିଶା ପ୍ରଥମ

 ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ  ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା “ଲକ୍ଷପତି ଦିଦି” ଯୋଜନାରେ ଓଡିଶା ଆଜି ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି  । ଏପ୍ରିଲ ୧୩, ୨୦୨୫  ସୁଦ୍ଧା, ଓଡିଶାରେ ଚିହ୍ନଟ କରାଯାଇଥିବା ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷ ରୁ ଉର୍ଦ୍ଧ୍ୱ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି । ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରି ଓଡିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ଅତିକ୍ରମ କରିଛି ।  ମିଶନ-ମୋଡ୍ ରେ  ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକ ସ୍ତରରେ ନେତୃତ୍ୱ, ଏବଂ  ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ ଭାବେ ଉଭା ହୋଇଛି ।
 କମୁ୍ୟନିଟି ସପୋର୍ଟ ସ୍ଟାଫ୍, ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀବୃନ୍ଦ ତଥା ଓଏଲଏମ ଅଧିକାରୀମାନେ ଘରକୁ ଘର  ସର୍ବେକ୍ଷଣ କରି, ଆୟ ସ୍ତର, ଦକ୍ଷତା, ଏବଂ ଆର୍ଥିକ ସ୍ୱାଧୀନତାର ଆକାଂକ୍ଷାକୁ ତର୍ଜମା କରିଥିଲେ । ଆବର୍ତ୍ତନ ପାଣ୍ଠି  ୧୫,୦୦୦ ରୁ ବୃଦ୍ଧି କରି ୩୦,୦୦୦ କରାଯାଇଥିବା ବେଳେ, କମୁ୍ୟନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ୩୫ ଲକ୍ଷ ଟଙ୍କାରୁ ବଢ଼ାଇ ୬୦ ଲକ୍ଷ ଟଙ୍କା କରାଯାଇଛି  । ଏହି କାର୍ଯ୍ୟକାରୀ ପୁଞ୍ଜିର ପ୍ରବାହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉତ୍ତମ ଉପକରଣରେ ନିବେଶ କରିବା, କାର୍ଯ୍ୟ ବିସ୍ତାର କରିବା ଏବଂ ବଡ ଧରଣର ଅର୍ଡରଗୁଡ଼ିକୁ ପୂରଣ କରିବାକୁ ସକ୍ଷମ କରିଛି ।  ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ଋଣର ବୋଝକୁ ହାଲୁକା କରିବା ଓ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ  ସେମାନଙ୍କର କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କିମ୍ବା ବିସ୍ତାର କରିବାରେ ସକ୍ଷମ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବାର ସହାୟତା ଜାରି ରହିବ  ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି  ।