ଲାଗିହେଲା ମହାପ୍ରଭୁଙ୍କ ରତ୍ନ ଓ ବଳଦେବଜୀଉଙ୍କ ସୁବର୍ଣ୍ଣଚିତା
ପୁରୀ : ଶ୍ରାବଣ ଅମାବାସ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଚିତାଲାଗି କରାଯାଇଛି । ଦଇତାପତି ସେବକମାନେ ପରମ୍ପରା ଅନୁଯାୟୀ ପ୍ରଭୁ ବଳଭଦ୍ରଙ୍କୁ ନୀଳ, ଶ୍ରୀ ଜଗନ୍ନାଥଙ୍କୁ ଧଳା ଓ ଦେବୀ ସୂଭଦ୍ରାଙ୍କୁ ନାଲି ହିରାଚିତା ଲାଗି କରିଛନ୍ତି । ଗୁରୁବାର ଚିତାଲାଗି ଅମାବାସ୍ୟା ଅବସରରେ ସକାଳ ୫ଟା ୪୦ମିନିଟ୍ରେ ମନ୍ଦିରର ଦ୍ୱାର ଫିଟିଥିଲା । ୬ଟା ୧୫ମିନିଟ୍ରେ ଭିତରଶୋଧ କରାଯାଇ ୬ଟା ୨୫ମିନିଟ୍ରେ ସଂପନ୍ନ ହୋଇଥିଲା ମଙ୍ଗଳଆଳତି ।୬ଟା ୩୦ମିନିଟ୍ରେ ମଇଲମ, ୭ଟା ତଡ଼ପଲାଗି, ୭ଟା ୧୦ମିନିଟ୍ରେ ଅବକାଶ ପୂଜା ଠା, ପରେ ୭ଟା ୨୦ମିନିଟ୍ରେ ଅବକାଶ ପୂଜା ଆରମ୍ଭ ହୋଇ ୭ଟା ୩୫ମିନିଟ୍ରେ ସରିଥିଲା । ୭ଟା ୪୦ ମିନିଟ୍ରେ ଠାକୁରମାନଙ୍କୁ ପୁନଶ୍ଚ ମଇଲମ କରାଯାଇଥିଲା । ୭ଟା ୪୫ମିନିଟ୍ରେ ରୋଷ ହୋମ, ୮ଟା୨୦ମିନିଟ୍ରେ ବେଶ, ୮ଟା ୫୫ମିନିଟ୍ରେ ସୂର୍ଯ୍ୟ ପୂଜା, ୯ଟା ୫ମିନିଟ୍ରେ ଦ୍ୱାରପାଳ ପୂଜା ଓ ୯ଟା ୨୫ମିନିଟ୍ର ଗୋପାଳବଲ୍ଲଭ ପୂଜା ଆରମ୍ଭ ହୋଇ ୯ଟା ୩୫ ମିନିଟ୍ରେ ଶେଷ ହୋଇଥିଲା । ୨ଟା ୪୦ମିନିଟ୍ରେ ମଇଲମ, ୨ଟା ୪୫ମିନିଟ୍ରେ ଲକ୍ଷ୍ମୀସରସ୍ୱତୀ ଗୁରୁବାର ମାଜଣା ମଣ୍ଡପକୁ ବିଜେ କରିଥିଲେ । ୨ଟା ୫୫ମିନିଟ୍ରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା ଏବଂ ମହାପ୍ରଭୁଙ୍କୁ ଚିତା ଲାଗି କରିବା ପାଇଁ ଦଇତାପତିମାନେ ସିଂହାସନରେ ଚଢିଥିଲେ । ମହାପ୍ରଭୁଙ୍କୁ ଚିତା ଲାଗି କରିବା ପାଇଁ ୩ଘଣ୍ଟା ସମୟ ଲାଗିଥିଲା । ସନ୍ଧ୍ୟା ୬ଟାରେ ଦଇତାମାନେ ବାହାରିଥିଲେ । ୩ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।
କେନ୍ଦ୍ରାପଡା : ପବିତ୍ର ଚିତାଲାଗି ଅମାବାସ୍ୟା ରେ ଆରାଧ୍ୟ ଦେବ ସିଦ୍ଧ ବଳଦେବଜୀଉଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବା ସହ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଛି । ଅମାବାସ୍ୟାରେ ହେଲା ଚିତା ଲାଗି ନୀତି । ପବିତ୍ର ଚିତା ଲାଗି ଅମାବାସ୍ୟାରେ ବଳଦେବ ଜୀଉଙ୍କ ମସ୍ତକରେ ଚିତା ଲାଗି ନୀତି କାର୍ଯ୍ୟ କରାଯାଇଛି । ପ୍ରତୁ୍ୟଷରୁ ଦ୍ୱାର ଉନ୍ମକ୍ତ କରାଯାଇ ଜୟ ମଙ୍ଗଳା ଆଳତି ହୋଇଥିଲା । ପରେ ନୀତି ସ୍ନାନ ବଲଭ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ସୁନେହେରି ସେବକ ଦ୍ୱାରା ଭଣ୍ଡାର ଗୃହରୁ ସଫେଇ ନିମନ୍ତେ ବାହାର କରାଯାଇ ସୁରକ୍ଷା ଭିତରେ ଅଫିସ କାର୍ଯ୍ୟାଳୟକୁ ନିଆ ଯାଇଥିଲା । ସଫେଇ କାର୍ଯ୍ୟ ସମ୍ପନ୍ନ ପରେ ମନ୍ଦିରକୁ ଅଣାଯାଇଥିଲା । ପୂଜା ପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କୁ ରାଜାଧି ରାଜ ବେଶ ଅନୁଷ୍ଠିତ କରାଯାଇଥିଲା । ସୁବର୍ଣ୍ଣ ଚିତା ଶ୍ରୀ ଜୀଉଙ୍କ ମସ୍ତକରେ ଲାଗି କରାଯାଇଥିଲା । ଲାଗି ସମ୍ପନ୍ନ ପରେ ମଙ୍ଗଳାର୍ପଣ ଚିତଉ ପିଠା ଭୋଗ ଅର୍ପଣ କରାଯାଇଥିଲା । ସୁନେହେରୀ ସେବକଙ୍କ ଖଟଣି ଭୋଗ ହୋଇଥିଲା । ନିୟମ ଅନୁସାରେ ଚିତାକୁ ଜ୍ୟେଷ୍ଠ ପୂର୍ଣ୍ଣିମା ରାତ୍ରିରେ ମସ୍ତକରୁ ବିଜେ ପଣ୍ଡାଙ୍କ ଦ୍ୱାରା ଓ ଲାଗି ହୋଇ ଭଣ୍ଡାର ଗୃହରେ ରଖାଯାଇ ଦେଢ ମାସ ବ୍ୟବଧାନ ପରେ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଚିତାଲାଗି କରାଯାଇଥାଏ । ଏହାକୁ ଚିତା ଲାଗି ଅମା ବସ୍ୟା କୁହାଯାଏ । ଏହି ଦିନରେ ଗୃହରେ ଗୃହିଣୀ ଦ୍ୱାରା ପିଠା ପ୍ରସ୍ତୁତ କରାଯାଇ ଗୃହ ଦେବତା ଭୋଗ କରାଯିବା ସହ ପୋଖରୀରେ ଗେଣ୍ଡା ଶାମୁକା ଆଦି ଜଳଚର ପ୍ରାଣୀଙ୍କ ଉଦେ୍ଦଶ୍ୟରେ ଦିଆଯିବାର ପ୍ରଥା ରହିଛି ।