ଶକ୍ତିଶାଳୀ ହେଲା ଭାରତୀୟ ନୌସେନା: ସମୁଦ୍ରକୁ ଓହ୍ଲାଇଲେ ଭାରତର ୩ ସମ୍ରାଟ
ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। କାରଣ ନୌସେଦନାରେ ସାମିଲ ହେଲେ ୩ ଲଢୁଆ ଯୁଦ୍ଧପୋତ। ଆଜି ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶିରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ନୌସେନାରେ ସାମିଲ ହୋଇଥିବା ଏହି ତିନୋଟି ଯୁଦ୍ଧ ଜାହାଜ ହେଉଛି ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀର ବୁଡ଼ାଜାହାଜ । ଏସବୁ ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। । ଏହି ତିନୋଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ମୁମ୍ବାଇର ମାଜାଗାଓଁ ଡକ୍ ଶିପ୍ ବିଲଡର୍ସ ଲିମିଟେଡରେ ଏହାର ଡିଜାଇନ୍ ଓ ନିର୍ମାଣ କରାଯାଇଛି । ଆଇଏନ୍ଏସ୍ ସୁରତ ହେଉଛି ଏକ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟର । ଆଇଏନଏସ ନୀଳଗିରି ହେଉଛି ପ୍ରୋଜେକ୍ଟ ୧୭ଏର ପ୍ରଥମ ଷ୍ଟିଲ୍ଥ ଫ୍ରିଗେଟ୍ । ଆଇଏନ୍ଏସ୍ ବାଘଶୀର ହେଉଛି ଏକ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ। ସମୁଦ୍ରରେ ଏହି ତିନୋଟିର ଶକ୍ତି ବାସ୍ତବରେ ଆଶ୍ଚର୍ୟ୍ୟଜନକ । ଶତ୍ରୁଙ୍କ ନିଦ ହଜାଇବା ପାଇଁ ସମୁଦ୍ରକୁ ଓହ୍ଲାଇଛନ୍ତି ଭାରତର ତିନି ସମ୍ରାଟ । ଏବେ ସମୁଦ୍ରରେ ଶତ୍ରୁଙ୍କ ପ୍ରତ୍ୟେକ ଚାଲ୍ ବିଫଳ ହେବ ।
ଯୁଦ୍ଧପୋତର କ୍ଷମତା ;
ଆଇଏନ୍ଏସ୍ ସୁରଟ : ଏହା ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟର । ଏହା ହେଉଛି ବିଶାଖାପାଟଣା ଶ୍ରେଣୀର ଷ୍ଟେଲ୍ଥ ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟରର ଚତୁର୍ଥ ଯୁଦ୍ଧ ଜାହାଜ। ସ୍ୱଦେଶୀ ଇସ୍ପାତରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ମାଜାଗାଓଁ ଡକ୍ ଲିମିଟେଡ୍ (ଏମ୍ଡିଏଲ୍)ରେ ନିର୍ମାଣ କରାଯାଇଛି। ଖାସ୍ କଥା ହେଉଛି ଦେଶରେ ଏପର୍ୟ୍ୟନ୍ତ ନିର୍ମିତ ଯୁଦ୍ଧ ଜାହାଜରେ ଏହାକୁ ଅତି କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇଛି।
ଆଇଏନଏସ ସୁରଟର ଶକ୍ତି: ଆଇଏନଏସ ସୁରଟର ଲମ୍ବ ୧୬୩ ମିଟର ଏବଂ ଏହାର ବେଗ ଘଣ୍ଟା ପ୍ରତି ୫୫.୫୬ କିଲୋମିଟର । ଆଇଏନଏସ ସୁରଟକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ଏହା ଶତ୍ରୁଙ୍କ ରାଡାରରେ ଆସିବ ନାହିଁ । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ରହିଛି । ଏଥିରେ ଭୂପୃଷ୍ଠରୁ ଆକାଶକୁ ଦୁଇଟି ଦୀର୍ଘ ଲଞ୍ଚର ରହିଛି । ପ୍ରତି ଲଞ୍ଚର ୧୬ଟି କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ । ଏଥିରେ ବ୍ରହ୍ମୋସ୍ ଆଣ୍ଟି ସିପ୍ ମିସାଇଲ ସିଷ୍ଟମ ମଧ୍ୟ ରହିଛି । ଏହା ଗୋଟିଏ ଥରରେ ୧୬ଟି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ । ବୁଡ଼ାଜାହାଜକୁ ଧ୍ୱଂସ କରିବା ପାଇଁ ରକେଟ୍ ଲଞ୍ଚର, ଟର୍ପିଡୋ ଲଞ୍ଚର ମଧ୍ୟ ଉପସ୍ଥିତ ଅଛନ୍ତି ।