ଦେବଗିରି ପାହାଡ଼ରେ ଜଳିଗଲା ଜଙ୍ଗଲ
ଖରାଦିନେ ଜଙ୍ଗଲୀ ନିଆଁ । ଦେବଗିରି ପାହାଡରେ ନିଆଁ ଲାଗି ୫ ଏକରରୁ ଅଧିକ ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁରେ ସ୍ଥାନୀୟ ଲୋକେ ହାହାକାର ହେଉଥିବା ବେଳେ ଜଙ୍ଗଲ ଜନ୍ତୁଙ୍କ ଜୀବନ ଏବେ ବିପଦରେ । ରବିବାର ମଧ୍ୟାହ୍ନରେ ଦେବଗିରି ପାହାଡ଼ ଅଧିନ ବାଘଆମ୍ପୁଡା ବିଟ ଅନ୍ତର୍ଗତ ପାହାଡର ମଧ୍ୟଭାଗରେ ନିଆଁ ଲାଗିଥିଲା ।ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ । ୫ ଏକରରୁ ଅଧିକ ପରିମିତ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ । ତେବେ ଜଙ୍ଗଲକୁ ଯାଉଥିବା ଶିକାରୀମାନେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।