ଅଲୋଡ଼ା ବରିଷ୍ଠ-ଅଭିଜ୍ଞ; ଖାତା ଖୋଲିବ କି ଦଳ?

ଅଲୋଡ଼ା ବରିଷ୍ଠ-ଅଭିଜ୍ଞ; ଖାତା ଖୋଲିବ କି ଦଳ?

ଯାଜପୁର : ଶଙ୍ଖ ଗଡ଼ ଯାଜପୁରରେ ପଦ୍ମ ଫୁଟିବ । ଏକଥା ଦଳୀୟ ପ୍ରାର୍ଥୀ, କାର୍ଯ୍ୟକର୍ତ୍ତା, କର୍ମୀ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଦୀର୍ଘ ଦଶନ୍ଧୀ ଧରି ଜିଲାରେ ପଦ୍ମ ଫୁଟାଇବାକୁ ଲଢେଇ କରି ଆସୁଥିବା ବିଜେପି ପାଇଁ ୨୦୧୯ରେ ସୁଯୋଗ ସୃଷ୍ଟି ହୋଇଥିଲା । ମୋଦି ହାୱା ସତ୍ୱେ ପ୍ରାର୍ଥୀଙ୍କ ଅଧିକ ଆତ୍ମ ବିଶ୍ୱାସ ଦଳୀୟ ଏକତାର ଅଭାବ ଏବଂ ନିଷ୍ଠା ଅଭାବରୁ ଦଳ ଲୋକସଭାରେ ଲକ୍ଷେରୁ ଅଧିକ ଭୋଟରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ସ୍ୱିକାର କରିଥିବା ବେଳେ ବିଧାନସଭାରେ ବଡ଼ଚଣାରେ ଜିତୁ ଜିତୁ ଦଳୀୟ ପ୍ରାର୍ଥୀ ହାରି ଯାଇଥିଲେ । ହାରିବା ପରେ ବିଜେପି ଶାସକ ବିଜେଡ଼ିକୁ କୌଣସି କ୍ଷେତ୍ରରେ ମୁକାବିଲା କରିବାକୁ ମନ କରିନଥିଲା । ଫଳରେ ୨୨ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଜିଲାରେ ପଦ୍ମ ଫୁଟାଇ ପାରିନଥିଲା । ସାଧାରଣ ନିର୍ବାଚନର ପାଞ୍ଚବର୍ଷ ଏବଂ ପଞ୍ଚାୟତ ନିର୍ବାଚନର ଦୁଇବର୍ଷ ପରେ ଅନୁଷ୍ଠିତ ୨୪ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତା ହାସଲ କରିବ ଏବଂ ଜିଲାରେ ଖାତା ଖୋଲିବାର ସକଳ୍ପ ନେଇ ମଇଦାନକୁ ଓହ୍ଲାଇଛି । ଲୋକସଭା ସହ ୭ରୁ ୬ ବିଧାନସଭାରେ ଦଳ ପ୍ରାର୍ଥୀ ଦେଇସାରିଛି । ଯେଉଁ ମାନେ କି ପ୍ରଚାର କାର୍ଯ୍ୟକୁ ଆଗେଇ ନେଉଛନ୍ତି । କିନ୍ତୁ ପ୍ରଚାରରେ ବିଜେପିର ବହୁ ଅଭିଜ୍ଞ ଓ ବରିଷ୍ଠ ଉପେକ୍ଷିତ ହୋଇ ରହିଛନ୍ତି । ବିଶେଷ କରି ତନ୍ମଧ୍ୟରେ ୬ଜଣ ପୂର୍ବତନ ଜିଲା ସଭାପତି ବି ଅଛନ୍ତି; ଯେଉଁମାନଙ୍କୁ ୨୦୧୯ ନିର୍ବାଚନରେ କିନ୍ତୁ ନିଜ ନିଜ ବିଧାନସଭା କ୍ଷେତ୍ର ହେଉ ଅବା ଲୋକସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସାମ୍ନାକୁ ବାହାରି ସକ୍ରିୟ ପ୍ରଚାର କରିବା ଦୃଶ୍ୟମାନ ହୋଇନଥିଲା । କେବଳ ବିଗତ ନିର୍ବାଚନ କାହିଁକି ଆଗାମୀ ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ରହିଥିବା ସ୍ଥଳେ ଏବଂ ଲୋକସଭା ଓ କେବଳ ବରୀକୁ ଛାଡ଼ି ବାକି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ ଏଯାଏଁ ସେହି ପୂର୍ବତନ ଜିଲା ସଭାପତିଙ୍କ ମଧ୍ୟରୁ କେହି ଜଣେ ବି କୌଣସି ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ତ କରି ନାହାଁନ୍ତି କି କୌଣସି ପ୍ରାର୍ଥୀଙ୍କ ସହିତ ଛିଡ଼ା ହୋଇଥିବା ବି ନଜରକୁ ଆସି ପାରିନାହିଁ । ଏହି ପୂର୍ବତନ ସଭାପତିଙ୍କ ମଧ୍ୟରେ ଅଛନ୍ତି ଯାଜପୁର ବିଧାନସଭା କ୍ଷେତ୍ରର ଅଜୟ କୁମାର ବିଶ୍ୱାଳ, ସୁକିନ୍ଦା ବିଧାନସଭା କ୍ଷେତ୍ରର ଅକ୍ଷୟ କୁମାର ସାହୁ, ଧର୍ମଶାଳା ବିଧାନସଭା କ୍ଷେତ୍ରର ପବିତ୍ର ମୋହନ ଦାଶ, ବଡ଼ଚଣା ବିଧାନସଭା କ୍ଷେତ୍ରର ଅଶୋକ କୁମାର ସାମଲ ଏବଂ ବରୀ ବିଧାନସଭା କ୍ଷେତ୍ରର ଜଗନ୍ନାଥ ପ୍ରସାଦ ସାମଲ ଓ ଆଶୁତୋଷ ପରିଡ଼ା । ତେବେ୨୦୧୮ମସିହା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ଦଳରେ ସକ୍ରିୟ ରହି ସାଙ୍ଗଠନିକ କାର୍ଯ୍ୟ କରିବା ସହ ଦଳର ସଭା ସମିତିରେ ଉପସ୍ଥିତ ରହି ଆସୁଥିବା ପରିଲକ୍ଷିତ ହେଉଥିଲେ ମଧ୍ୟ ଗୌତମ ରାୟ ୨୦୧୮ ମସିହାରେ ଜିଲା ସଭାପତି ନିଯୁକ୍ତ ହେବା ପରଠାରୁ ହିଁ ଏହି ସବୁ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଦଳ ମଧ୍ୟରେ ଏକ ପ୍ରକାର ନିଷ୍କ୍ରିୟ କରି ଦେଇଥିବା ପରି ଅନୁଭବ ହେଉଛି । ବିଜେପିର ସାଙ୍ଗଠନିକ ବ୍ୟବସ୍ଥା ଅନୁସାରେ ପୂର୍ବତନ ସଭାପତି ମାନଙ୍କୁ ଜିଲା କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ମିଳିବା କଥା । ଏଥିସହିତ ସାଙ୍ଗଠନିକ ଅଭିବୃଦ୍ଧି ସହିତ ନିର୍ବାଚନ ପରିଚାଳନାରେ ସେମାନଙ୍କ ଅଭିଜ୍ଞତାକୁ ମଧ୍ୟ ଉପଯୋଗ କରିବା କଥା । ମାତ୍ର ଜିଲା ସଭାପତି ଶ୍ରୀ ରାୟ କେଉଁ କାରଣ ପାଇଁ ସେମାନଙ୍କ ଅଭିଜ୍ଞତାକୁ ଉପେକ୍ଷା କରି ତାହା ମାଧ୍ୟମରେ ସେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ହିଁ ଏବେ ଦଳର କାର୍ଯ୍ୟକର୍ତ୍ତା ମହଲରେ ସନେ୍ଦହ ସୃଷ୍ଟିକରିଛି । ଯଦିବା ଶ୍ରୀରାୟ ଦଳର ସାଙ୍ଗଠନିକ ବିଧିବ୍ୟବସ୍ଥା ସମ୍ପର୍କରେ ସେତେଟା ଅବଗତ ନାହାଁନ୍ତି । କିନ୍ତୁ ରାଜ୍ୟ ସଂଗଠନ ପକ୍ଷରୁ ସଙ୍ଗଠନ ଅଭିବୃଦ୍ଧି ନିମନ୍ତେ ନିଯୁକ୍ତ ଜିଲା ଏବଂ ଏସମସ୍ତ ବିଧାନସଭା କ୍ଷେତ୍ରର ପୂର୍ଣ୍ଣକାଳୀନ ବିସ୍ତାରକ ମାନଙ୍କ ଜ୍ଞାତରେ ବି କଣ ଏହି ପୂର୍ବତନ ଜିଲା ସଭାପତି ମାନେ ନାହାଁନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ତନ୍ମଧ୍ୟରୁ କେବଳ ପବିତ୍ର ମୋହନ ଦାଶ ଓ ଆଶୁତୋଷ ପରିଡ଼ାଙ୍କୁ ରାଜ୍ୟ ସଙ୍ଗଠନ ପକ୍ଷରୁ କେବେ କେବେ ଜିଲାରୁ ନେଇ ଅନ୍ୟ କ୍ଷେତ୍ରରେ ସାଙ୍ଗଠନିକ ଓ ନିର୍ବାଚନ ପରିଚାଳନା ଭାର ଅର୍ପଣ କରାଯାଉଥିବା ଦେଖା ଯାଇଥାଏ । କିନ୍ତୁ ଏହି ପୂର୍ବତନ ଜିଲା ସଭାପତି ମାନେ ନୁହଁନ୍ତି; ବହୁ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ, ଉପ ସଭାପତି, ସମ୍ପାଦକ ଏବଂ ବିଭିନ୍ନ ମୋର୍ଚ୍ଚାର ପୂର୍ବତନ କର୍ମକର୍ତା ପ୍ରାୟ ୬ବର୍ଷରୁ ଊର୍ଦ୍ଧ୍ୱ ଧରି ଦଳ ମଧ୍ୟରେ ଅଲୋଡ଼ା ହୋଇ ରହି ଆସୁଥିବା ମଧ୍ୟ ପରିଲକ୍ଷିତ ହେଉଛି । ଏସଂପର୍କରେ ଦୁଇ ଜଣ ପୂର୍ବତନ ଜିଲ୍ଲା ସଭାପତିଙ୍କ କହିବା କଥା ହେଲା କେବଳ ଆମ ଜିଲା ନୁହେଁ ସମଗ୍ର ରାଜ୍ୟରେ ବି ବିଗତ ୬/୭ ବର୍ଷ ହେଲାଣି ଦଳର କାର୍ଯ୍ୟଧାରା ଦଳୀୟ ବିଧି ବ୍ୟବସ୍ଥାକୁ ଉପେକ୍ଷା କରି ଚାଲି ଆସିଥିବା ଅନୁଭବ ହେଉଛି; ନୋହିଲେ ଲଗାତର ତିନିଥର ଜଣେ ବ୍ୟକ୍ତି ଜିଲା ସଭାପତି ପଦରେ ନିଯୁକ୍ତି ହେବା ଦଳର ସମ୍ବିଧାନ ବିରୋଧି ହୋଇଥିବା ସ୍ଥଳେ ଗୌତମଙ୍କ କ୍ଷେତ୍ରରେ କିଭଳି ତେବେ ତାହା ସମ୍ଭବ ହୋଇପାରିଛି । କିନ୍ତୁ ରାଜ୍ୟ ଶୀର୍ଷ ନେତୃତ୍ୱ ଏବଂ ଜିଲା ପାଇଁ ନିଯୁକ୍ତ ଦଳର ପ୍ରଭାରୀ ଓ ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ହୁଏତ ଯାଜପୁର ଜିଲାରେ ଦଳ ମଧ୍ୟରେ ଚାଲି ଆସିଥିବା ଏଭଳି ଅନିୟମିତ ପରିଚାଳନା ନେଇ ଅବଗତ ଥାଇ ମଧ୍ୟ ଅଣଦେଖା କରି ଆସୁଛନ୍ତି ସେମାନଙ୍କ ଏଭଳି ପ୍ରତିକ୍ରିୟା ହିଁ ସେହି ଦିଗ ପ୍ରତି ତ ଏବେ ଇଙ୍ଗିତ କରୁଛି । ତେଣୁ ଏଭଳି ସ୍ଥିତିରେ ଜିଲାରେ ଦଳର ଲୋକସଭା ଓ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ଜିତିବାର ଦମ୍ଭୋକ୍ତି ସଫଳ ହେବ କେମିତି? ଯାହା ଆଗାମୀ ଜୁନ୍ ୪ ତାରିଖରେ ଆସିବାକୁ ଯାଉଥିବା ନିର୍ବାଚନ ଫଳାଫଳ ହିଁ ପ୍ରମାଣ େ